ନିଯୁକ୍ତି ଦାବିରେ ଆମରଣ ଅନଶନ

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଖୋଲାମୁହଁ କୋଇାଲ ଖଣି ଦ୍ୱାରା କ୍ଷତିଗ୍ରସ୍ତ ଖଲିଆପାଲି ଗ୍ରାମର ଚୈତନ୍ୟ ପ୍ରଧାନ(୪୪) ନିଯୁକ୍ତି ଦାବିରେ ଆଜି ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ଜମିବାଡି ଓ ଘରଦ୍ୱାର ଏମସିଏଲ ଅଧିକୃତ କରିଛି । ହେଲେ ତାଙ୍କୁ ୪୪ ବର୍ଷ ହୋଇଥିବାରୁ ଏମସିଏଲରେ ଚାକିରି ଦିଆଯାଇ ପାରିବ ନାହିଁ ବୋଲି ଏମସିଏଲ୍ କର୍ତ୍ତୃପକ୍ଷ କହୁଥିବା ସେ ଅଭିଯୋଗ କରିଛନ୍ତି । ଏମସିଏଲର କୋଇଲା ଖନନ ପାଇଁ ସେ ସର୍ବସ୍ୱାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ନ ମିଳିବା ଅନ୍ୟାୟ ଅଟେ ବୋଲି କହିଛନ୍ତି।

ତେଣୁ ତାଙ୍କ ପ୍ରତି ଅନ୍ୟାୟ ନ କରି ଲଖନପୁର ଖୋଲା ମୁହଁ କୋଇଲା ଖଣି ଅଧିନରେ କାର୍ଯ୍ୟରତ ଠିକା ସଂସ୍ଥା ବିପିଆର କିମ୍ବା ବିଜିଆରରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି। ନଚେତ ସେ ଲଖନପୁର ଖୋଲା ମୁହଁ କୋଇଲା ଖଣି ୫ ଓ ୬କୁ ବନ୍ଦ କରିବା ପାଇଁ କୋଲ ଜଙ୍କସନ ୫ରେ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ଲଖନପୁର ଖୋଲାମୁହଁ କୋଇଲା ଖଣି ପ୍ରୋଜେକ୍ଟ ଅଫିସର ଏକେ. ସ୍ୱର୍ଣ୍ଣକରଙ୍କୁ ପଚାରିବାରୁ କହିଛନ୍ତି ଚୈତନ୍ୟ ତାଙ୍କର ଜମିବାଡି ଓ ଘର ଦ୍ୱାରର କ୍ଷତି ପୁରଣ ଟଙ୍କା ଏମସିଏଲ ଠାରୁ ନେଇ ସାରିଛନ୍ତି। ଏହାସହ ତାଙ୍କୁ ମିଳିଥିବା ଏମସିଏଲ ଚାକିରୀକୁ ତାଙ୍କ ସ୍ତ୍ରୀକୁ ପ୍ରଦାନ କରିବା ପାଇଁ ଆବେଦନ କରିଛନ୍ତି।

ଫଳରେ ଏମସିଏଲରେ ତାଙ୍କ ସ୍ତ୍ରୀ ଚଳିତ ମାସ ନଚେତ ଆସନ୍ତା ମାସ ମଧ୍ୟରେ ନିଯୁକ୍ତି ପାଇବେ। ତେଣୁ ଚୈତନ୍ୟକୁ ଠିକା ସଂସ୍ଥାରେ ଚାକିରୀ ପ୍ରଦାନ କରାଯାଇ ନାହିଁ ଏବଂ ସ୍ଥାନୀୟ ଭୁମିହୀନ ବା ଯେଉଁ ପରିବାରରୁ ଏଯାଏଁ କେହି ଚାକିରୀ ପାଇ ନାହାନ୍ତି ତାଙ୍କୁ ନିଯୁକ୍ତି ଦିଆଯାଉଛି ।