ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଆଜି ଅପରାହ୍ଣରେ ଜଣେ ନବଜାତ ଶିଶୁର ମୁତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଗତକାଲି ମଧ୍ୟ ଜଣେ ନବଜାତ ଶିଶୁର ଚିକିତ୍ସା ଅବହେଳାରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଗୁରୁବାର ହୋଇଥିବା ଶିଶୁମୃତ୍ୟୁ ସମ୍ପର୍କରେ ପରିବାର ଲୋକେ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ହେଲେ ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଜଣେ ନବଜାତର ମୃତ୍ୟୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଥିବା ଚିକିତ୍ସା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍କୁଲି ଗ୍ରାମର ତପସ୍ୱିନୀ ତାଣ୍ଡିଆ ଓ ରତି ବଗର୍ତି ନାମକ ୨ ଜଣ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକେ ଗତ ବୁଧବାର ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ବୁଧବାର ରାତିରେ ତପସ୍ୱିନୀ ଅସହ୍ୟ ଯନ୍ତ୍ରଣା ଓ ଛୁଆ ପେଟରେ ଖେଳୁ ନଥିବା ଅନୁଭବ କରିଥିଲେ। ସେ ଏନେଇ ତାଙ୍କ ସାଙ୍ଗରେ ଆସିଥିବା ଆଶା ଦିଦିଙ୍କୁ ଅବଗତ କରାଇଥିଲେ। ଆଶା ଦିିଦି ତପସ୍ୱିନୀଙ୍କ ସମସ୍ୟା ସମ୍ପର୍କରେ ଡାକ୍ତର ଓ ନର୍ସଙ୍କୁ ବାରମ୍ବାର ଜଣାଇଥିଲେ ହେଁ କେହି କିଛି ଶୁଣି ନଥିଲେ। ଏହାସହ ମା’ ପେଟରେ ଶିଶୁଟି ସୁସ୍ଥ ଥିବା ଡାକ୍ତର କହିଥିଲେ। ପ୍ରସବ ଜନିତ ଯନ୍ତ୍ରଣା ସହ ଲେବର ରୁମରେ ତପସ୍ୱିନୀ ଛଟପଟ ହେଉଥିଲେ ହେଁ କୌଣସି ଡାକ୍ତର ବା ନର୍ସ ଚିକିତ୍ସା ପାଇଁ ଆସି ନଥିଲେ। ଡାକ୍ତର ଓ ନର୍ସଙ୍କ ଏହିପରି ଦାୟିତ୍ୱହୀନତା ଏବଂ ଅବହେଳା ଯୋଗୁ ଗୁରୁବାର ସକାଳେ ଜନ୍ମ ହୋଇଥିବା ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରତିଙ୍କୁ ଶୁକ୍ରବାର ସକାଳେ ପ୍ରସବ ଯନ୍ତ୍ରଣା ହେବାରୁ ଆଶି ଦିଦି ପୁଣି ଡାକ୍ତର ଓ ନର୍ସମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ତେବେ ଅପରେସନ କରିବାର ସମୟ ହୋଇନାହିଁ ବୋଲି ଡାକ୍ତର ଓ ନର୍ସମାନେ କହିଥିଲେ। ଫଳରେ ଅସ୍ତ୍ରୋପ୍ରଚାର ବିନା ଆଜି ଅପରାହ୍ଣ ୧ଟାରେ ରତି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଓ ଜନ୍ମ ହେଉହେଉ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏପରି ଦାୟିତ୍ୱହୀନ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପଚାରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ଯୋଗାଯୋଗ ହୋଇ ପାରି ନଥିଲା। ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଏହି ଚିକିତ୍ସା ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ପତ୍ର ଲେଖିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଚିକିତ୍ସା ଅବହେଳା ଯୋଗୁ ମହିଳା ତଥା ନବଜାତମାନେ ପ୍ରାଣ ହରାଉଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।