ବାପା,ମା’ଓ ସ୍ତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ: ଜେଲ ଗଲା ପୁଅ

ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ ଥାନା ତିଲେଇବଣୀ ଫାଣ୍ଡି ଅନ୍ତର୍ଗତ ଅସୁରଖୋଲ ଗ୍ରାମରେ ନିଜ ବୃଦ୍ଧ ବାପା ,ମା’ ଓ ସ୍ତ୍ରୀ କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଦେବଗଡ ଥାନା ପୁଲିସ ଆଜି ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଯୁବକକୁ ଗିରଫ କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅସୁରଖୋଲ ଗ୍ରାମର ବିଷ୍ଣୁ ଚରଣ ସାହୁ (୬୨)ଙ୍କ ପୁଅ ସତ୍ୟ ସାହୁ (୩୫) କୌଣସି ରୋଜଗାର କରୁ ନ ଥିବା ବେଳେ ନିଜ ଖର୍ଚ୍ଚ ପାଇଁ ପ୍ରତ୍ୟେକ ଦିନ ନିଜ ବାପାଙ୍କ ଠାରୁ ୫ ଶହ ଟଙ୍କା ନେଇଥାଏ। କୌଣସି କାରଣରୁ ଯଦି ବାପା ବିଷ୍ଣୁ ପୁଅକୁ ଟଙ୍କା ଦେବାରେ ଅସମର୍ଥ ହୁଅନ୍ତି ତେବେ ପୁଅ ସତ୍ୟର ନିର୍ଯ୍ୟାତନାର ଶୀକାର ହୋଇଥାନ୍ତି । ଏହି କ୍ରମରେ ଗତ ୨୫ ତାରିଖ ଦିନ ସତ୍ୟ ନିଜ ଖର୍ଚ୍ଚ ପାଇଁ ବାପାଙ୍କଠୁ ୫ ଶହ ଟଙ୍କା ଦାବୀ କରିଥିଲା।

ସେ ଦେବାରେ ଅସମର୍ଥ ପ୍ରକାଶ କରିବାରୁ ରାତ୍ରୀ ପ୍ରାୟ ୧୦ଟା ସମୟରେ ସତ୍ୟ ଏକ ଲୁହା ଛଡରେ ତାଙ୍କ ମୁଣ୍ଡ କୁ ଆକ୍ରମଣ କରିଥିଲା । ଏହି ସମୟରେ ବିଷ୍ଣୁ ପୁଅ ଆକ୍ରମଣର ନିଜକୁ ବଂଚାଇବା ପାଇଁ ହାତ ଛେକି ଦେବାରୁ ତାଙ୍କ ହାତ ଭାଙ୍ଗି ଯାଇଥିଲା । ଏହା ଦେଖି ଆକ୍ରମଣ କାରୀ ପୁଅ ସତ୍ୟ ର ମା’ ପାର୍ବର୍ତୀ ସାହୁ (୬୦) ଓ ଅଭିଯୁକ୍ତର ସ୍ତ୍ରୀ ମାମୁନୀ (୨୫) ବିଷ୍ଣୁଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଥିବା ବେଳେ ସତ୍ୟ ସମସ୍ତଙ୍କୁ ନିଜ ଘର ଗୁହାଳ ମଧ୍ୟରେ ପୁରାଇ ବାହାରୁ ତାଲା ବନ୍ଦ କରିବା ସହ ଗୁହାଳ ଝରକା ମଧ୍ୟ ଦେଇ ଲୁହା ଛଡ ସାହାଯ୍ୟରେ ସେମାନଙ୍କୁ ଆଘାତ ଦେଇଥିଲା।

ଫଳରେ ତିନି ଜଣ ଗୁହାଳ ମଧ୍ୟରେ ଗୁରୁତର ହୋଇ ପଡ଼ିରହି ଉଦ୍ଧାର ପାଇଁ ଚିତ୍କାର କରିବାରୁ ପଡିଶା ଲୋକେ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ଗୁହସାଳର ତାଲା ଭାଙ୍ଗି ଗୁରୁତର ଥିବା ୩ ଜଣଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ। ମାତ୍ର ଅଭିଯୁକ୍ତ ସତ୍ୟ ପୁଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଚିକିତ୍ସତି ହୋଇ ସାମନ୍ୟ ସୁସ୍ଥ ହେବା ପରେ ବିଷ୍ଣୁ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୁଲିସ ଏକ ମାମଲା ଋୁଜ୍ଜୁ କରି ଅଭିଯୁକ୍ତ ସତ୍ୟକୁ ଆଜି ଗିରଫ କରି କୋର୍ଟ ଚାଳାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।