ଖୋଲିଲା ଗୁପଚୁପ ଷ୍ଟଲ୍: ଗ୍ରାହକ କହୁଛନ୍ତି, ଆଗେ ଖାଇବୁ ତା’ପରେ ପାର୍ସଲ ନେବୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋରନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରି ବଜାର ବନ୍ଦ କରିଥିଲେ। ହେଲେ ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରି ସମସ୍ତ ଛୋଟମୋଟ ବ୍ୟବସାୟୀଙ୍କୁ ସେମାନଙ୍କ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଲା ପରେ ଗୁପଚୁପ ବେପାରୀମାନେ ପୁଣି ନିଜ ନିଜ ବେପାର ଆରମ୍ଭ କରିଛନ୍ତି। ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଏମାନେ ସକାଳ ୭ଟାରୁ ଅପରାହ୍ଣ ୧ଟା ଯାଏଁ ଦୋକାନ ଖୋଲା ରଖୁଛନ୍ତି। ଦୋକାନରେ ସାମାଜିକ ଦୂରତା ଅବଲମ୍ବନ କରି ଗୁପଚୁପ ପାର୍ସଲ ନେଇ ଘରେ ଖାଇବା ପାଇଁ ଲୋକଙ୍କୁ କହୁଛନ୍ତି। ହେଲେ ୨ ମାସ ପର୍ଯ୍ୟନ୍ତ ଗୁପଚୁପ ଦେଖି ନଥିବା ଲୋକେ ଏବେ ଗୁପଚୁପ ଷ୍ଟଲ ଦେଖୁଦେଖୁ ସମସ୍ତ କଟକଣା ଭୁଲି ଯାଉଛନ୍ତି। ସାମାଜିକ ଦୂରତା, ପାର୍ସଲ ନେଇ ଘରେ ଖାଇବା ଆଦିକୁ ଭୁଲି ଆଗେ ଖାଇବୁ ତା ପରେ ପାର୍ସଲ ନେବୁ ବୋଲି ଗୁପଚୁପ ଦୋକାନୀଙ୍କୁ କହୁଛନ୍ତି। ତେଣୁ ଦୋକାନୀମାନେ ମଧ୍ୟ ବାଧ୍ୟ ହୋଇ ଗ୍ରାହକଙ୍କୁ ଷ୍ଟଲରେ ଖାଇବାକୁ ଦେଉଛନ୍ତି। ଫଳରେ ଷ୍ଟଲ ସମ୍ମୁଖରେ ଗହଳି ହେବା ସହ ସାମାଜିକ ଦୂରତା ବଜାୟ ରହିପାରୁ ନାହିଁ। ଏପରି ଗହଳି ଲାଗିଲେ ପୁଲିସ ଓ ପ୍ରଶାସନ ପୁଣି ଗୁପଚୁପ ବେପାର ଉପରେ ରୋକ ଲଗାଇବାର ଭୟ ଥିବାରୁ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରି ପାର୍ସଲ ଆଣି ଘରେ ଖାଇବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀମାନେ ମତ ଦେଇଛନ୍ତି।