ଝାରସୁଗୁଡ଼ା ପୌରପରିଷଦ ସଫେଇ କର୍ମଚାରୀଙ୍କ ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ପୌରପରିଷଦର ସଫେଇ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆଜି ସଫେଇ କାମ ନେଇଥିବା ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ। ସେମାନଙ୍କ କହିବାନୁସାରେ, ଝାରସୁଗୁଡ଼ା ପୌରପରିଷଦର ସଫେଇ କାମ ଗ୍ରୀନ ସାର୍କିଲ ଏନଭାରମେଣ୍ଟ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକା ସଂସ୍ଥା ନୂତନ ଭାବେ ନେଇଛି। ହେଲେ ଏହି ସଂସ୍ଥା କର୍ମଚାରୀଙ୍କୁ ସଫେଇ କାମରେ ବ୍ୟବହାର ହେଉଥିବା ଉପକରଣ, ଗ୍ଲୋବ୍ସ, ଆପରୋନ, ଚଷମା, ଜୋତା, ସାବୁନ, ଫିନାଇଲ, ଝାଡୁ ଆଦି ପ୍ରଦାନ କରୁନାହିଁ। ଏହାସହ ସଫେଇ କର୍ମଚାରୀଙ୍କ ବୀମା ନ କରିବା ସହ ଇଏସଆଇ କାର୍ଡ ମଧ୍ୟ ପ୍ରଦାନ କରୁନାହିଁ। ଫଳରେ ସଫେଇ କର୍ମଚାରୀମାନେ ନିଜ କାମ ଠିକ ଭାବରେ କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କର୍ମଚାରୀମାନେ ଆବଶ୍ୟକ କରୁଥିବା ସମସ୍ତ ଉପରଣ ପ୍ରଦାନ କରିବା ସହ ମାସ ଆରମ୍ଭର ୫ ଦିନ ଭିତରେ ଦରମା ପ୍ରଦାନ କରିବା ପାଇଁ କମ୍ପାନୀ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କହିଛନ୍ତି। ନଚେତ ଆନ୍ଦୋଳନ ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ପ୍ରାୟ ୫ ଘଣ୍ଟାର ଆନ୍ଦୋଳନରେ ଗ୍ରୀନ ସାର୍କିଲ ଏନଭାରମେଣ୍ଟ ପ୍ରାଇଭେଟ ଲିମିଟେଡ କର୍ତୃପକ୍ଷ କର୍ମଚାରୀଙ୍କ ସମସ୍ତ ଦାବି ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ।