ଚର୍ଚ୍ଚାରେ ଝାରସୁଗୁଡା ଲଳନା ଶ୍ରେୟା ଲେଙ୍କା, ଆନ୍ତର୍ଜାତୀୟ କେ-ପପ୍ ଆର୍ଟିଷ୍ଟ ହେବାକୁ ଆଉ ପାଦେ ଆଗେଇଲେ

ଝାରସୁଗୁଡା,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଓଡ଼ିଶାର ପରିଚୟକୁ ଶ୍ରେଷ୍ଠତ୍ଵରେ ପ୍ରତିପାଦିତ କରିଛନ୍ତି ଆଉ ଜଣେ ଓଡ଼ିଆ ଝିଅ ଶ୍ରେୟା ଲେଙ୍କା। ଝାରସୁଗୁଡ଼ାର ୧୮ବର୍ଷିୟା ଝିଅ ଏବେ କେ-ପପ୍ ଆର୍ଟିଷ୍ଟ ଦୌଡ଼ରେ ରହିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଦୁଇଜଣ ଶ୍ରେଷ୍ଠ ଫାଇନାଲିଷ୍ଟଙ୍କ ମଧ୍ୟରେ ରହିଛନ୍ତି ସେ। ବଡ଼ କଥା ହେଲା, କୋରିଆ ମ୍ୟୁଜିକ୍ ଲେବଲ ଡିଆର୍ ମ୍ୟୁଜିକ୍ ଦ୍ଵାରା ଶ୍ରେୟା ଏକମାତ୍ର ଏସୀୟ। କେବଳ ଝାରସୁଗୁଡ଼ା ପାଇଁ ନୁହେଁ ସମଗ୍ର ଭାରତ ବର୍ଷ ପାଇଁ ଓଡ଼ିଆ ଲଳନା ଶ୍ରେୟା ଲେଙ୍କା ଗୌରବ ଆଣିଛନ୍ତି।

୧୮ ବର୍ଷିଆ ଶ୍ରେୟାଙ୍କ ଝାରସୁଗୁଡ଼ାରୁ କୋରିଆ ପର୍ଯ୍ୟନ୍ତ ଯାତ୍ରା ପଛରେ ତାଙ୍କ ପିତାମାତା ଏବଂ ପରିବାରର ବଡ଼ ଭୂମିକା ରହିଛି। ଝାରସୁଗୁଡ଼ା ଶୀତଳ କଲୋନି ପାଖରେ ରହୁଥିବା ପିତା ଅବିନାଶ ଲେଙ୍କା ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବେଳେ ମାତା ପ୍ରୀୟତମା ସମାଜସେବାରେ ବ୍ରତୀ। ରାଉରକେଲା ଠାରେ ଶ୍ରେୟା ଜନ୍ମ ଗ୍ରହଣ କରିଥିବା ବେଳେ ଝାରସୁଗୁଡ଼ା ଠାରେ ୨୦୦୭ ମସିହାରୁ ପରିବାର ସହ ରହୁଛନ୍ତି। ଝାରସୁଗୁଡ଼ା ଡିଏଭି ସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ ଶିକ୍ଷା ଲାଭ ପରେ ଝାରସୁଗୁଡ଼ା ମହିଳା କଲେଜରେ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ଅଧ୍ୟୟନ କରୁଛନ୍ତି। ଝାରସୁଗୁଡ଼ାର ଷ୍ଟେପ୍ ଟୁ ରିଦିମ୍ ଭଳି ଅନୁଷ୍ଠାନ ସହ ଯୋଡ଼ି ହୋଇ ସେ ନୃତ୍ୟ ଶିକ୍ଷାଲାଭ କରିବା ସହ ଅନ୍ୟାନ୍ୟ ସଂଗୀତ ପ୍ରଶିକ୍ଷକଙ୍କ ଠାରୁ ସେ ତାଲିମ ଗ୍ରହଣ କରି ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବହୁ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଅର୍ଜନ କରିଛନ୍ତି। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ମଧ୍ୟ ସେ କରିଛନ୍ତି।

ଅନ୍‌ଲାଇନ୍‌ରେ ସେ ଗ୍ଲୋବାଲ ଅଡିସନ୍‌ରେ ଭାଗ ନେଇ ସମଗ୍ର ବିଶ୍ଵରୁ ୪ ହଜାର ପ୍ରତିଯୋଗୀଙ୍କ ଭିତରେ ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ ଆଦି ଦେଶର ପ୍ରତିଯୋଗୀଙ୍କ ସହ ଶ୍ରେୟା ମଧ୍ଯ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଏବେ ପଞ୍ଚମ ସଦସ୍ୟା ଲାଗି ବ୍ରାଜିଲ୍‌ ପ୍ରତିଯୋଗୀଙ୍କ ସହ ଶ୍ରେୟାଙ୍କ ମୁକାବିଲା ହେବାକୁ ଯାଉଛି। ଯେଉଁଥିପାଇଁ ସେ  କୋରିଆରେ ରହି ନିଜର ଅଭ୍ୟାସ ଚଳାଇଛନ୍ତି। ନୃତ୍ୟ ସାଂଗକୁ ଗୀତ, କ୍ରୀଡ଼ା, ଯୋଗ ଆଦିରେ ଶ୍ରେୟା ବେଶ ପାରଙ୍ଗମ। ତାଙ୍କର ନୈପୁଣ୍ୟତା ଅନେକଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛି। ଜାତୀୟ ଏବଂ ଆଞ୍ଚଳିକସ୍ତରରେ ଶ୍ରେୟାଙ୍କ ନିରନ୍ତର ସଫଳତା ଆଜି ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପାଦ ଥାପିବାକୁ ସୁଯୋଗ ଆଣି ଦେଇଛି। ଶ୍ରେୟାଙ୍କ ସଫଳତାରେ ବେଶ ଖୁସି ପ୍ରକଟ କରିଛନ୍ତି ତାଙ୍କର ପିତା  ମାତା। ଝିଅ ଆଜି ଯେଉଁ ସ୍ତରରେ ପହଞ୍ଚିଛି ସେଥିରେ ସେ ଗର୍ବିତ।

ଗତ ବର୍ଷ ଡିସେମ୍ବରରୁ ଦୁଇ ମାସର ତାଲିମ୍ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷକ ଭାବେ ଗାବ୍ରିଏଲା ଡାଲସିନ୍‌ଙ୍କୁ ଦକ୍ଷିଣ କୋରିଆ ପଠାଯାଇଥିଲା। ସେମାନେ ସେଠାରେ ରହି ଆସିଛନ୍ତି। ଦକ୍ଷିଣ କୋରିଆର ସର୍ବ ଭାରତୀୟ ସ୍ତରରେ ଖ୍ୟାତନାମା କେ-ପପ୍ ବାଳିକା ଗୋଷ୍ଠୀ ବ୍ଲାକ୍‌ନ୍‌ରେ ଯୋଗଦେବା ପାଇଁ ଏହି ଦୁଇଜଣ ପ୍ରତିଦ୍ବନ୍ଦିତା କରିବେ। ବର୍ତ୍ତମାନ ସେମାନେ କୋରିଆ ଭାଷା ଶିଖିବା ସହିତ ଆନ୍ୟାନ୍ୟ କାର୍ଯ୍ୟସୂଚୀ ଅତିକ୍ରମ କରି ଅଡିସନ୍ ପର୍ଯ୍ୟାୟର ଅନ୍ତିମ ରାଉଣ୍ଡରେ ଅଛନ୍ତି। ଯେଉଁଥିରେ ସେମାନଙ୍କୁ ଜଣେ କେ-ପପ୍ କଳାକାର ଭାବେ ଡେବ୍ୟୁ କରିବାର ଯୋଗ୍ୟତାକୁ ପ୍ରମାଣ କରିବାକୁ ପଡ଼ିବ।

କିଛି ମାସ ମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ବ୍ଲାକ୍‌ନ୍ ଗୋଷ୍ଠୀରେ ନୂତନ କେ ପପ୍ କଳାକାର ଭାବେ ଯୋଗଦେବେ। ଶ୍ରେୟା ନୃତ୍ୟ ଏବଂ ଯୋଗରେ ବେଶ୍ ପାରଙ୍ଗମ ଓ ଦକ୍ଷ। ସେଥିପାଇଁ ସେ ଜାତୀୟ ତଥା ଆଞ୍ଚଳିକ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କାର ଜିତିଛନ୍ତି। ଶାସ୍ତ୍ରୀୟ ଓଡ଼ିଶୀରୁ ନୃତ୍ୟ ଆରମ୍ଭ କରିଥିବା ଶ୍ରେୟା ୫ବର୍ଷ ପୂର୍ବରୁ ମଦନ ମୋହନ ପୁଟିଙ୍କ ନିକଟରେ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇଥିଲେ। ପରେ ବିଭିନ୍ନ ଗୁରୁଙ୍କ ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ। କିନ୍ତୁ ଏହି ପ୍ରତିଯୋଗିତାରେ ତାଙ୍କ କଣ୍ଠସ୍ୱରକୁ ମାର୍ଜିତ କରିବା ଲାଗି ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିକ୍ଷା କରିଛନ୍ତି। କେ-ପପ୍ ଆର୍ଟିଷ୍ଟ ଦୌଡ଼ରେ ଶ୍ରେୟା ଲେଙ୍କା  ସାମିଲ ପରେ ଏବେ ବିଭିନ୍ନ ମହଲରୁ ଶ୍ରେୟାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟୁଛି।