ବିଦ୍ୟୁତଚାଳିତ ଗାଡ଼ି କିଣିଲେ ମିଳିବ ୫୦ହଜାର ଟଙ୍କା ଯାଏଁ ସବସିଡି: ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ବର,ଏନ୍ଏନ୍ଏସ୍: ଯେକୌଣସି ବିଦ୍ୟୁତଚାଳିତ ଗାଡ଼ି କ୍ରୟ ଉପରେ ୫ରୁ ୫୦ ହଜାର ଟଙ୍କା ଯାଏଁ ସବସିଡି ମିଳିବ। ଏନେଇ ଆଜି ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି କରାଯାଇଛି। ରାଜ୍ୟରେ ବିଦ୍ୟୁତଚାଳିତ ଗାଡ଼ିଗୁଡ଼ିକର କ୍ରୟ ଲାଗି ଏବଂ ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ଧରଣର ବିଦ୍ୟୁତଚାଳିତ ଗାଡ଼ି ଉପରେ ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି।

ଏହି ସବସିଡି ପିଛିଲା ଭାବେ ୨୦୨୧ ସେପ୍ଟେମ୍ବର ୧ରୁ ମିଳିବ। ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ସବସିଡି ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି। ଏଥିରେ ଆଉ ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଗତ ବର୍ଷ ସେପ୍ଟେମ୍ବର ୧ତାରିଖ  ବା ତାପରେ ବିଦ୍ୟୁତଚାଳିତ ଗାଡ଼ି କିଣିଥିବେ, ତେବେ ସେମାନଙ୍କୁ ସବସିଡି ଅର୍ଥ ଫେରସ୍ତ ମିଳିବ।

ବିଦ୍ୟୁତଚାଳିତ ଦୁଇଚକିଆ ଯାନରେ ସର୍ବାଧିକ ୫ ହଜାର ଟଙ୍କା, ତିନିଚକିଆ ଯାନରେ ୧୦ ହଜାର ଟଙ୍କା ଓ ଚାରିଚକିଆ ଯାନରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ବିଦ୍ୟୁତଚାଳିତ ଗାଡ଼ିର ରେଜିଷ୍ଟ୍ରେସନ ଫି ଓ ମୋଟରଯାନ ଟିକସ ଆଦାୟକୁ ରାଜ୍ୟ ସରକାର ପୂର୍ବରୁ ଛାଡ଼ କରିଥିଲେ।

୨୦୨୩ ପରେ ପେଟ୍ରୋଲ/ଡିଜେଲ ଚାଳିତ ତିନି ଚକିଆ ଗାଡ଼ି ଭାରତୀୟ ରାସ୍ତାରେ ଆଉ ଗଡ଼ି ନପାରେ। ସେହିପରି ୨୦୨୫ ପରେ ଏଭଳି ଦୁଇ ଚକିଆ ଗାଡ଼ି ମଧ୍ୟ ଗଡ଼ିବ ନାହିଁ। ପ୍ରଦୂଷଣକୁ ରୋକିବ‌ା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଦେଇଛି ନିତି ଆୟୋଗ। ପେଟ୍ରୋଲ/ଡିଜେଲ ଗାଡ଼ି ବଦଳରେ ବିଦ୍ୟୁତ ଗାଡ଼ି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ବଡ଼ ଧରଣର ‌ଯୋଜନା କରିଛନ୍ତି। ୨୦୦୧ରୁ ଭାରତୀୟ ରାସ୍ତା ଉପରେ ବିଦ୍ୟୁତ ଯାନ ଗଡ଼ିବା ଆରମ୍ଭ କରିଥିଲେ ମଧ୍ୟ ୨୦୧୭ରୁ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି।