କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ନୂତନ ମାର୍ଗଦର୍ଶିକା ଜାରି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅନଲକ୍-୬ରେ କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ମାର୍ଗଦାର୍ଶିକା ଜାରି କରାଯାଇଛି। ବିଶେଷ ଭାବରେ ବିହାଘର ଭୋଜି ଓ ଧର୍ମାନୁଷ୍ଠାନଗୁଡିକରେ ପୂଜାପଠ ପାଇଁ ଏକତ୍ରିତ ହେଉଥିବା ଭିଡ଼କୁ ଏଥିରେ ରୋକିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନର ନୂତନ ନିର୍ଦ୍ଦେଶନାମା ଅନୁସାରେ ବାହାଘର କାର୍ଯ୍ୟକ୍ରମରେ ୧୦୦ ଜଣ ଏକତ୍ରିତ ହୋଇ ପାରିବେ। ସେହିପରି ବିଭିନ୍ନ ଧର୍ମାନୁଷ୍ଠାନଗୁଡିକରେ ଆସନ୍ତା ଡିସେମ୍ବର ୧୫ ତାରଖ ପର୍ଯ୍ୟନ୍ତ ଲୋକେ ଏକତ୍ରିତ ହୋଇ ପୂଜାପାଠ କରିବାକୁ ବାରଣ କରାଯାଇଛି।

ଡିସେମ୍ବର ୧୫ ପରେ ଧର୍ମାନୁଷ୍ଠାନରେ ଲୋକେ କିପରି ପୂଜାପାଠ କରିପାରିବେ ସେନେଇ ନିଷ୍ପତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଜିଲ୍ଲାରେ ଥିବା ବିଭିନ୍ନ ଦୋକାନ ବଜାରକୁ ଦୋକାନୀମାନେ ସାମାଜିକ ଦୂରତା ରକ୍ଷା କରିବାସହ ମାସ୍କ ପରିଧାନ କରି ସକାଳ ୭ରୁ ସନ୍ଧ୍ୟା ୮ଟା ଯାଏଁ ଖୋଲିପାରିବେ। ଅନ୍ୟପଟେ ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ, ଗର୍ଭବତି ମହିଳା ତଥା ୧୦ ବର୍ଷରୁ କମ ବୟସ ଶିଶୁଙ୍କ ଅକାରଣରେ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି। ସେମାନେ ବିନା କାରଣରେ ଘରୁ ବାହାରିଥିଲେ ଘରର ମୁରବି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାଟି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।