ଝାରସୁଗୁଡା ପୌରାଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ବିଜେପିର ଦାବି

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ପୌରାଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆଜି ଜିଲ୍ଲା ବିଜେପି ପକ୍ଷରୁ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ୧୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡିକ ହେଲା ପୌରପରିଷଦ ପକ୍ଷରୁ ଝାରସୁଗୁଡା ପୌରାଞ୍ଚଳ ରାସ୍ତା ଉପରେ ପକାଯାଉଥିବା ଅଳିଆ ଆବର୍ଜାନକୁ ବନ୍ଦ କରିବାପାଇଁ ଦୃଢ ପଦକ୍ଷେପ ଗ୍ରହଣ, ସହରର ସମସ୍ତ ରାସ୍ତାରେ ଷ୍ଟ୍ରିଟ ଲାଇଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ରାସ୍ତା ଉପରେ ଚାଲିଥିବା ଜୀବ ହତ୍ୟା ଓ ମାଂସ ବିକ୍ରିକୁ ବନ୍ଦ, ସମସ୍ତ ୱାର୍ଡର ନାଳ ନର୍ଦମାକୁ ପରିସ୍କାର କରିବାସହ ଯେଉଁଠି ଡ୍ରେନେଜ ସୁବିଧା ନାହିଁ ସେଠାରେ ନାଳର ନିର୍ମାଣ, ସମସ୍ତ ୱାର୍ଡରେ ପକ୍କା ରାସ୍ତାର ନିର୍ମାଣ, ପୌରାଞ୍ଚଳରେ ବ୍ଲିଚିଂ ପାଉଡର ତଥା ଜୀବାଣୁ ନାଶକ ଔଷଧ ପ୍ରୟୋଗ, ଆବର୍ଜନା ଓ ବର୍ଜ୍ୟବସ୍ତୁ ଘରୁ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା, ସ୍ୱଚ୍ଛ ମିଶନ ପାଇଁ କେନ୍ଦ୍ର ସରକାର ଦେଉଥିବା ରାଶିର ସଦ୍ ବିନିଯୋଗ, ଡଷ୍ଟବିନ କିଣାରେ ହୋଇଥିବା ଦୁର୍ନୀତିର ତଦନ୍ତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଶୌଚାଳୟ ନିର୍ମାଣ ପାଇଁ ପ୍ରକୃତ ହିତାଧୀକାରୀଙ୍କୁ ସହାୟତା, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଏସଏଚଜିକୁ ପ୍ରାଥମିକତା ପ୍ରଦାନ କରାଯାଉ।

ଏହି ସମସ୍ତ ଦାବି ଆଗାମୀ ୩୦ ଦିନ ମଧ୍ୟରେ ପୂରଣ କରାନଗଲେ ପୌରପାଳିକାକୁ ଅଚଳ କରିଦିଆଯିବ ବୋଲି ଜିଲ୍ଲା ବିଜେପି ଚେତାବନୀ ଦେଇଛି। ଏହି ଅବସରରେ ବିଜେପି ନେତା ଦିନେଶ ଜୈନ, ଜିଲ୍ଲା ଓବିସି ମୋର୍ଚା ସଭାପତି ଦୀପକ ପଟେଲ, ଦିନେଶ ଉପାଧ୍ୟାୟ, ରାଜା ବୈଦ, ସନ୍ତୋଷ ଗୁପ୍ତା, ଗୋପାଲ ପଟେଲ, ସବିତା ପ୍ରଧାନ, ଦୀପକ ଦାସ, ରାଜେଶ ଦାଶ, ରାଜେଶ୍ୱରୀ ନାଏକ ପ୍ରମୁଖଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।