ଝାରସୁଗୁଡା-ଭୁବନେଶ୍ୱର ବିମାନ ୩ ମାସ ବାତିଲ

ଝାରସୁଗୁଡା,ଏନ୍ଏନ୍ଏସ୍ : ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ୩ ମାସ ଯାଏଁ ଝାରସୁଗୁଡାରୁ ଭୁବନେଶ୍ୱରକୁ ବିମାନ ଉଡାଣ ବନ୍ଦ ରହିବ। ଏଲାଇନ୍ସ ଏୟାର ପକ୍ଷରୁ ଦିଆଯାଉଥିବା ଝାରସୁଗୁଡା- ଭୁବନେଶ୍ୱର-ବାରଣାସୀ-ଭୁବନେଶ୍ୱର-ଝାରସୁଗୁଡା ପାଇଁ ବିମାନ ଚଳାଚଳ ୨୯ ମାର୍ଚ୍ଚରୁ ୩୦ ଜୁନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଝାରସୁଗୁଡା ବିମାନ ବନ୍ଦର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ଏୟାରପୋର୍ଟରେ ନୋଟାମ(ଏରୋନେଟିକାଲ, ସୁବିଧା, ସେବା, ପ୍ରଣାଳୀ ପରିବର୍ତନ ସମ୍ବନ୍ଧୀୟ ସୂଚନା) ଲାଗୁ କରାଯାଇଥିବାରୁ ବିମାନ ସେବାକୁ ବନ୍ଦ କରାଯାଇଛି।

ତେବେ ଆଗାମୀ ଜୁଲାଇ ୧ ତାରିଖରୁ ପୂର୍ବ ସମୟ ଅନୁସାରେ ଏଲାଇନ୍ସ ଏୟାର କୋଲକାତାରୁ ସକାଳ ୫ଟା ୫୦ ମିନିଟରେ ଉଡ଼ି ୭ଟା ୨୦ ମିନିଟରେ ଝାରସୁଗୁଡ଼ାରେ ପହଂଚିବ । ୭ଟା ୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡ଼ାରୁ ଉଡି ରାୟପୁରରେ ୮ଟା ୫୦ ମିନିଟରେ ପହଂଚିବ । ପୁଣି ରାୟପୁରରୁ ୯ଟା ୧୫ ମିନିଟରେ ବିମାନ ଛାଡି ଝାରସୁଗୁଡ଼ାରେ ୧୦ଟା ୨୦ ମିନିଟରେ ପହଂଚିବ । ଝାରସୁଗୁଡ଼ାରୁ ୧୦ଟା ୪୫ ମିନିଟରେ ଉଡ଼ିବା ପରେ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଂଚିବ। ସେହିପରି ୧୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ି ବାରାଣାସୀରେ ଅପରାହ୍ନ ୨ଟା ୫ ମିନିଟରେ ପହଂଚିବ। ୨ଟା ୩୦ ମିନିଟରେ ବାରାଣାସୀରୁ ବିମାନ ଛାଡ଼ିବା ପରେ ୪ଟା ୨୦ ମିନିଟରେ ଭୁବନେଶ୍ୱରରେ ପହଂଚିବା ସହ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ବିମାନଟି ୪ଟା ୪୫ ମିନିଟରେ ଛାଡ଼ି ୫ଟା ୫୦ ମିନିଟରେ ପହଂଚିବ।

ଝାରସୁଗୁଡ଼ାରୁ କୋଲକାତାକୁ ଉକ୍ତ ବିମାନ ସଂଧ୍ୟା ୬ଟା ୧୫ ମିନିଟରେ ଉଡ଼ିବା ପରେ କୋଲକାତାରେ ୭ଟା ୪୫ ମିନିଟରେ ପହଂଚିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଝାରସୁଗୁଡାରୁ ଭୁବନେଶ୍ୱରକୁ ବିମାନ ଚଳାଚଳ ୩ ମାସ ଯାଏଁ ବନ୍ଦ ରହିଲେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ। କାରଣ ଝାରସୁଗୁଡାରୁ ଅନେକ ଯାତ୍ରୀ ବିମାନ ଯୋଗେ ଭୁବନେଶ୍ୱର ଯାଇ ସେଠାରୁ ଅନ୍ୟତ୍ର ଯାଇ ଥାଆନ୍ତି। ଝାରସୁଗୁଡାରୁ ଭୁବେଶ୍ୱର ବିମାନ ଚଳାଚଳ ବନ୍ଦ ହେବା ପରେ ଏବେ ବିମାନ ଯାତ୍ରୀମାନଙ୍କୁ ବସ, ଟ୍ରେନ ବା ଅନ୍ୟ ଯାନରେ ଭୁବନେଶ୍ୱର ଯିବା ପାଇଁ ପଡିବ ଯାହା ସମୟ ସାପେକ୍ଷ ବୋଲି ଯାତ୍ରୀମାନେ ମତ ଦେଇଛନ୍ତି ।