ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବୋଇଙ୍ଗ ବିମାନ ଚଳାଚଳ ଆରମ୍ଭ କରିବା ଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଲେଖି ବୋଇଙ୍ଗ ବିମାନ ଚଳାଚଳ ନେଇ ଥିବା ସମସ୍ୟା ବିଷୟରେ ଅବଗତ କରାଇଛନ୍ତି।
ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ାରୁ ଦିଲ୍ଲୀ, ବାଙ୍ଗାଲୋର, ମୁମ୍ବାଇ ପରି ବଡବଡ ସହରକୁ ବୋଇଙ୍ଗ ବିମାନ ଚଳାଚଳ ପାଇଁ ଲୋକେ ଦୀର୍ଘ ଦିନାରୁ ଦାବି କରୁଛନ୍ତି। ହେଲେ ଝାରସୁଗୁଡ଼ାରେ ବୋଇଙ୍ଗ ପରି ବଡ଼ ବିମାନ ଚଳାଚଳ କରିବାକୁ ହେଲେ ୪୨ ଜଣ ଅଗ୍ନୀସମ କର୍ମଚାରୀଙ୍କ ଅବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କେବଳ ୨୩ ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି । ଆହୁରି ୧୯ ଜଣ କର୍ମଚାରୀଙ୍କୁ ଝାରସୁଗୁଡା ବିମାନ ବନ୍ଦରରେ ନିୟୋଜିତ କରାନଗଲେ ଏୟାର ବସ୍ ଏ-୩୨୦ ଅବତରଣ ଓ ଉଡ଼ାଣ ପାଇଁ ଡ଼ିଜିସିଏ ଅନୁମତି ପ୍ରଦାନ କରିବ ନାହିଁ। ତେଣୁ ଶୀଘ୍ର ଝାରସୁଗୁଡାରେ ୧୯ ଜଣ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରି ଝାରସୁଗୁଡ଼ାରୁ ବୋଇଂଗ ପରି ବଡ ବିମାନ ଚଳାଚଳ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାସ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଛନ୍ତି।