ଅସହାୟ ବନିତାଙ୍କ ଘରେ ପହଞ୍ଚିଲେ ବିଧାୟକ: ସମସ୍ତ ଚିକିତ୍ସା ଖର୍ଚ୍ଚର ନେଲେ ଦାୟିତ୍ୱ

ଝରିଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚଚ୍ଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମର ଗୁମାନ ଗୌଡ଼ଙ୍କ ଛଅ ବର୍ଷର ଶିଶୁକନ୍ୟା ବନିତା ଦୁର୍ଘଟଣାର ଶିକାର ହେବାପରେ ଅର୍ଥଅଭାବରୁ ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଧାୟକ ବନିତାଙ୍କ ଘରେ ପହଞ୍ଚି ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ମସିହା ଅପ୍ରିଲ ମାସରେ ଗବାଗୁଡା ଗ୍ରାମର କିଛି ଲୋକଙ୍କ ସହିତ ଗୁମାନ ଗୌଡ଼ଙ୍କ ପରିବାର ମଧ୍ୟ ରୋଜଗାର ଚିନ୍ତାରେ ଭିଟାମାଟି ଛାଡି ଦାଦନ ଖଟିବା ପାଇଁ ବସ୍ ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରି ଥିଲେ। ଆମ୍ବପାଣି ଘାଟିର କେନ୍ଦୁଗୁଡା ଗ୍ରାମ ନିକଟରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଅନେକ ଯାତ୍ରୀ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରେ କୁନିଝିଅ ବନିତା ମଧ୍ୟ ଦୁର୍ଘଟଣାର ଶିକାର ହୋଇ ତାର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିଲା। ଏହାପରେ ବ୍ରହ୍ମପୁର ଡାକ୍ତରଖାନାରେ ବନିତାର ଅସ୍ତ୍ରପ୍ରୋଚାର ହୋଇଥିଲା। ଗରିବ ଅସହାୟ ପରିବାର ପୂର୍ବରୁ ଜମି ବନ୍ଧକ ରଖି ଝିଅ ର ଚିକିତ୍ସାରେ ପ୍ରାୟ ୮୦ହଜାର ଟଙ୍କା ଖର୍ଚ୍ଚ କରିସାରିଥିଲେ। ଆଗକୁ ଚିକିତ୍ସାରେ ଆବଶ୍ୟକ ଅର୍ଥ ଯୋଗାଡ଼ ପାଇଁ ବନ୍ଧକ ରଖିବାକୁ ଆଉ କିଛିନାହିଁ । ତେବେ ଅସହାୟ ଶିଶୁକନ୍ୟା ବନିତାର ଦୁଃଖଭରା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ଏକ ଡାକ୍ତରୀ ଟିମ ସହିତ ଗବଗୁଡା ଗ୍ରାମ ଗସ୍ତ କରିଥିଲେ। ବନିତାର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଡାକ୍ତର ଙ୍କ ସହିତ ଆଲୋଚନା ପରେ ବନିତାର ଚିକିତ୍ସା ଭୁବନେଶ୍ୱରରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କରୋନା କାଳରେ ପେଟକୁ ଦାନା ଯୋଗାଡ଼ କଷ୍ଟକର ହୋଇପିଡ଼ିଥିବା ବେଳେ ଝିଅକୁ ଭୁବନେଶ୍ୱର ନେଇ ଚିକିତ୍ସା ପାଇଁ ଗୁମାନ କୁଣ୍ଠାବୋଧ କରୁଥିବାବେଳେ ବିଧାୟକ ଗରିବ ପରିବାରକୁ ଆର୍ôଥକ ସହାୟତା ଦେବା ସହିତ ଆସନ୍ତା ମଙ୍ଗଳବାର ଦିନ ବନିତାକୁ ଭୁବନେଶ୍ୱର ନେଇ ସେଠାରେ ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିବେ ବୋଲି କହିଥିଲେ। ଝିଅର ଚିକିତ୍ସା ଖର୍ଚ୍ଚ ବିଧାୟକ କିରୁଥିବା ଶୁଣି ଉଭୟ ଗରିବ ଦମ୍ପତି ଖୁସି ରେ ଅତ୍ମୋବିଭର ହୋଇ ଅଶ୍ରୁଭରା ନୟନ ରେ ବିଧାୟକ ଙ୍କୁ କୃତଜ୍ଞତା ଜଣାଇ ଥିଲେ। ବିଧାୟକଙ୍କ ସହିତ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ସ୍ଥାନୀୟ ନେତୃବୃନ୍ଦ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହିଥିଲେ।