ଝରିଗାଁ’ରେ ହେବନି ଘୋଷଯାତ୍ରା

ଝରିଗାଁ,ଏନ୍ଏନ୍ଏସ୍  : ନବରଙ୍ଗପୁର ଜିଲ୍ଲା ଝରିଗାଁ ପଂଚାୟତ ସମିତି ବୈଠକ ଗୃହରେ ଆଜି ଝରିଗାଁ’ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ, ଧରୁଆ ସାଂସଦ ପ୍ରତିନିଧି ତଥା ମନ୍ଦିର ପରିଚାଳନା କମିଟି ସଭାପତି ପ୍ରିୟରଞ୍ଜନ ଦାସ, ଉପସଭାପତି ନରସିଂହ ଦଳେଇ, ମୁଖ୍ୟ ପୂଜକ ଗୋପାଳ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ, ବରିଷ୍ଠ ସଭ୍ୟ ରବୀନ୍ଦ୍ର ନାଥ ଦାସ, ଜି କ୍ରୀଷ୍ଣା ରାଓ, ସତ୍ୟ ନାରାୟଣ ନାୟକ, ଡମ୍ବରୁ ଧର ସାହୁ, ସମ୍ବାରୁ ପ୍ରଧାନୀ, ସରସ୍ୱତୀ ପଟ୍ଟନାୟକ, ମିନତୀ ଦାସ ବଲବୀର ଶର୍ମା, ରମେଶ ପଟ୍ଟନାୟକ ଏବଂ ସମସ୍ତ ସେବାୟତ ଓ ମହାରଣାଙ୍କ ଉପସ୍ଥିତିରେ ଝରିଗାଁରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଘୋଷ ଯାତ୍ରାରେ ଆଖ ପାଖ ଅଂଚଳ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ଚଳିତ ବର୍ଷ ରଥଯାତ୍ରାକୁ ସ୍ଥଗିତ କରାଯିବା ନେଇ ନିଷ୍ପତି ନିଆଯାଇଛି।

ବିଶ୍ୱବ୍ୟାପି କରୋନା ସଂକ୍ରମଣରେ ଅଗ୍ରଗତି ଦେଖା ଦେଉଥିବା ବେଳେ ଆମ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାକୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ବହୁ କଟକଣା ଓ ଜନସମାଗମ ଉପରେ ଲଗାମ ଲଗେଇଛନ୍ତି । ତେବେ ସରକାରଙ୍କ ନିଷ୍ପତିକୁ ସମ୍ମାନ ଜଣେଇବା ସହ ଲୋକମାନଙ୍କ ଜୀବନକୁ ସୁରକ୍ଷା ପାଇଁ ଝରିଗାଁରେ ହେବାକୁ ଥିବା ରଥଯାତ୍ରା ବନ୍ଦ ପାଇଁ ନିଷ୍ପତିକୁ ସର୍ବସାଧାରଣରେ ସ୍ୱାଗତ କରାଯାଇଛି। ରଥଯାତ୍ରା ଦିନ କେବଳ ପୂଜକମାନଙ୍କୁ ନେଇ ନିରାଡ଼ମ୍ବର ସହକାରେ ନୀତି କାନ୍ତି ସହ ଠାକୁରଙ୍କ ସେବା ହେବାକୁ ନିଷ୍ପତି କରାଯାଇଛି।