ଝାରସୁଗୁଡ଼ା କରୋନା ପଜିଟିଭ ଚିହ୍ନଟ ରୋଗୀ ଜଣକ କଲିକତାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବୁଢ଼ିଜାମ ଅଞ୍ଚଳରେ ଜିଲ୍ଲାର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାପଡ଼ିଛି। ହେଲେ ଜିଲ୍ଲାରେ ପ୍ରଥମ ରୋଗୀ ଭାବେ ଚିହ୍ନଟ ହୋଇଥିବା ଏହି ୧୮ ବର୍ଷୀୟ ଯୁବତୀ ଜଣକ କଲିକତାର ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ସ୍ପଷ୍ଟ କରିଛନ୍ତି। ସୂଚନାନୁଯାୟୀ, କରୋନା ସଂକ୍ରମିତ ଏହି ଯୁବତୀ ଜଣକ ଗତ ୨୩ ତାରିଖ ସଂଧ୍ୟା ୭ଟା ୩୦ରେ ଗୋଟିଏ ଟାଟା ସୋମୋ ଗାଡ଼ିରେ ତାଙ୍କ ପରିବାରବର୍ଗଙ୍କ ସହ ମୋଟ ୪ ଜଣ ଆସିଥିଲେ। ଏହି ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପରିବାରବର୍ଗଙ୍କୁ ତୁରନ୍ତ ହୋମ କ୍ୟାରେଣ୍ଟ।।ଇନ କରାଯିବା ସହ ଘର ସମ୍ମୁଖରେ ସରକାରଙ୍କ ପକ୍ଷରୁ ପାମପ୍ଲେଟ ଲଗା ଯାଇଥିଲା। ଏଥି ସହିତ ୨୪ ତାରିଖ ସକାଳେ ସେମାନଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା। ଯୁବତୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଝାରସୁଗୁଡ଼ା କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏବେ ସେମାନଙ୍କ ସମ୍ପୂର୍ଣ୍ଣ ଟ୍ରାଭେଲ ହିଷ୍ଟ୍ରି, କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଏହି ଯୁବତୀଙ୍କ ଭାଇ ବ୍ରଜରାଜନଗରର ଓରିଏଣ୍ଟ ଅଞ୍ଚଳରେ ରହି ଗାଡ଼ି ଚଲାଉଥିଲେ। କିଛିଦିନ ପୂର୍ବରୁ ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ କଲିକତାରୁ ଏହି ୪ ଜଣ ଆସିଥିଲେ। ତେବେ ମୃତ ବ୍ୟକ୍ତିଙ୍କ ସତ୍କାର ପାଇଁ ୧୦ଜଣ ଲୋକ ଯାଇଥିବା ଜଣାପଡ଼ିଛି। ଏହି ୧୦ ଜଣଙ୍କ ମଧ୍ୟରେ ପରିବାରର କିଏ ଓ ସ୍ଥାନୀୟ ଅଞ୍ଚଳର କିଏ ଯାଇଥିଲେ ତାହା ଏବେ ଟ୍ରେସିଂ କରାଯାଉଛି। ଏସମସ୍ତ ତଥ୍ୟ ଟ୍ରେସିଂ କଲାପରେ ଏହି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ କେତେ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିବା ସହ ଗୋଟିଏ ପ୍ରଶାସନିକ ଦଳ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରୁଛନ୍ତି।