ଦେବଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଗ୍ରାମକୁ ସିଲ୍ କଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଆତଙ୍କିତ ଥିବାବେଳେ ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ତିଲେଇବଣୀ ବ୍ଲକ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବୋଲି ଜଣାପଡ଼ିଛି। ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ବିଶେଷଜ୍ଞ ଦଳ ଉକ୍ତ ଗ୍ରାମରେ ପହଁଚି ସଂକ୍ରମିତ ବ୍ୟକ୍ତିଙ୍କୁ ରାଉରକେଲା ଆଇଜିଏଚ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପରେ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ସିଲ କରାଯିବା ସହ ସାନିଟାଇଜ ନହେବା ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବା ଜଣାପଡ଼ିଛି। ସେହିପରି ଉକ୍ତ ଗ୍ରାମ ଓ ଆଖପାଖ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।