ଘରେ କେହି ନଥିବାର ସୁଯୋଗ ନେଇ ଗହଣା ଓ ୬୦ ହଜାର ଟଙ୍କା ଚୋରି

ବଲାଙ୍ଗିର,ଏନ୍ଏନ୍ଏସ୍ : ବଲାଙ୍ଗିର ଶାନ୍ତିପଡ଼ା ବାସିନ୍ଦା ତଥା ନଲେଜ ସେଣ୍ଟରର ମାଲିକ ଜୟନ୍ତ ଦାଶଙ୍କ ଘରୁ ଗତକାଲି ରାତିରେ ୨ଶହ ଗ୍ରାମ ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଚୋରୀ ହୋଇଛି । ମିଳିଥିବା ରିପୋର୍ଟ ମୁତାବିକ, ଜୟନ୍ତ ଦାଶଙ୍କ ମା’ ତାଙ୍କ ପାଖ ଘରେ ବଡ଼ଭାଇଙ୍କ ପାଖରେ ରୁହନ୍ତି । କିଛି ଦିନ ହେଲା ମା’ଙ୍କ ଦେହ ଖରାପ ଥିବାରୁ ଦୁଇ ଦିନ ହେବ ଜୟନ୍ତ ତାଙ୍କ ପାଖରେ ଶୋଉଥିଲେ । କିନ୍ତୁ ଆଜି ସକାଳୁ ଆସି ଦେଖିବା ବେଳକୁ ଘରର ସମସ୍ତ ଆଲମାରୀ ଖୋଲା ହୋଇଥିବା ବେଳେ ଜିନିଷପତ୍ର ଛିନଛତ୍ର ହୋଇ ପଡ଼ିଛି । ରାତି ପ୍ରାୟ ୧୨ଟା ସମୟରେ ଜୟନ୍ତ ଘରୁ ଯିବା ପରେ ଏହି ଚୋରୀ ହୋଇଥିବା ସେ ଅନୁମାନ କରୁଛନ୍ତି । ତାଙ୍କ ଘର ପଛପଟ ଝରକା ଭାଂଗି ଚୋରମାନେ ଘର ଭିତରକୁ ପଶି ଥିବାବେଳେ ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରୀ କରି ନେଇଥିବା ଜୟନ୍ତ ଆଜି ସକାଳୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପର୍ୟ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଂଚି ନଥିବାବେଳେ ବଡ଼ବାବୁ ଆସିଲେ ପୁଲିସ ଟିମ୍‌ ଆସିବ ବୋଲି ଥାନାରେ କୁହାଯାଇଥିବା ଶ୍ରୀ ଦାଶ କହିଛନ୍ତି ।