ଜାତିସଂଘର ନିରାପତ୍ତା ପରିଷଦକୁ ଜେଲେନ୍‌ସ୍କିଙ୍କ ସମ୍ବୋଧନ, ‘ଅନ୍ୟ ଆତଙ୍କବାଦ ରାଷ୍ଟ୍ରଠାରୁ ରୁଷ୍ କମ୍ ନୁହେଁ’

କିଏଭ୍‌,ଏଜେନ୍ସି: ଫେବୃଆରୀ ୨୪ରୁ ଯୁଦ୍ଧ ଲାଗିବା ପରଠାରୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ମଙ୍ଗଳବାର ପ୍ରଥମ ଥର ଜାତିସଂଘ ନିରାପତ୍ତା ପରିଷଦକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଜେଲେନ୍‌ସ୍କି କହିଛନ୍ତି ଯେ ଅନ୍ୟ ଆତଙ୍କବାଦୀ ରାଷ୍ଟ୍ର ତୁଳନାରେ ରୁଷ୍ ଆଦୌ କମ ନୁହେଁ। ନିକଟରେ ୟୁକ୍ରେନ୍‌ର ବୁକା ସହରରୁ ଶତାଧିକ ଲୋକଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ରୁଷ୍ ସେନାର ବର୍ବରତାର କାହାଣୀ ସାମନାକୁ ଆସିଛି। ମୃତକଙ୍କ ହାତଗୋଡ ବନ୍ଧା ଯାଇଥିବାବେଳେ କେବଳ ମୁଣ୍ଡରେ ଗୁଳି ଚିହ୍ନ ରହିଛି।

ସାଧାରଣ ଲୋକଙ୍କୁ ଏଭଳି ନିର୍ମମଭାବେ ହତ୍ୟା କରାଯିବାର ଦୃଷ୍ଟାନ୍ତ କେବଳ ଆତଙ୍କବାଦୀମାନେ ଦେଇଥାନ୍ତି ବୋଲି ଜେଲେନ୍‌ସ୍କି କହିଛନ୍ତି। ତେଣୁ ସମଗ୍ର ବିଶ୍ୱ ରୁଷ୍‌ର ଅସଲ ଚେହେରା ଦେଖନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ଅପରପକ୍ଷରେ ମଙ୍ଗଳବାର ସୁଦ୍ଧା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୪୧ ଦିନରେ ପହଞ୍ଚିଥିବାବେଳେ ରୁଷ୍ ସେନା ମାଇକୋଲେଭ୍ ସହର ଉପରେ ପ୍ରବଳ ବୋମାମାଡ କରିଛି। ଏଥିରେ ୧୦ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି ବୋଲି ମେୟର ଓଲେକ୍‌ଜାଣ୍ଡାର ସେଙ୍କେଭିଚ୍ କହିଛନ୍ତି।

ଏହାବ୍ୟତୀତ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ନିଜ ଦେଶରେ ଥିବା ରୁଷ୍ ଦୂତାବାସରୁ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଜର୍ମାନୀ ପକ୍ଷରୁ ୪୦ ଜଣ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିବାବେଳେ ଫ୍ରାନ୍ସରୁ ୩୫ ଓ ଡେନମାର୍କରୁ ୧୫ ଜଣ ବିଦା ହୋଇଛନ୍ତି।