ବେଙ୍ଗାଲୁରୁ,ଏଜେନ୍ସି: ଓଡ଼ିଶାର ବାହାରେ ରହିଲେ ସୁଦ୍ଧା ପ୍ରବାସୀ ମାନେ ଭୁଲି ନାହାନ୍ତି ନିଜ ପରମ୍ପରା ଓ ସଂସ୍କୃତିକୁ। ବେଙ୍ଗାଲୁରୁରେ ରହୁଥିବା ପ୍ରବାସୀ ମାନେ ପାଳନ କରିଛନ୍ତି ଉତ୍କଳ ଦିବସ। ଚଳିତ ବର୍ଷ କରନା କଟକଣା ନଥିବାରୁ ବେଶ ଧୁମ ଧାମରେ ପାଳନ କରାଯାଇଛି ଉତ୍କଳ ଦିବସ। ବେଙ୍ଗାଲୁରୁ ଓଡ଼ିଆ ସଂଗଠନ ଓଡ଼ିଶା ସେବା ସମିତି ପକ୍ଷରୁ ପାଳିତ ହୋଇଛି ଉତ୍କଳ ଦିବସ।
ବେଙ୍ଗାଲୁରୁର ବେସ ଜଣାଶୁଣା ତଥା ସାମାଜିକ ଅନୁଷ୍ଠାନ ଓଡ଼ିଶା ସେବା ସମିତି ପାଳନ କରିଛି ଉତ୍କଳ ଦିବସ। କରୋନା କଟକଣା ନଥିବାରୁ ବେଙ୍ଗାଲୁରୁ ଏସ୍ଏଲ୍ଏନ୍ ଭବନ ପରିସରରେ ବେଶ ଧୁମ୍ଧାମ୍ରେ ପାଳିତ ହୋଇଛି ଓଡ଼ିଶା ଦିବସ। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ପରେ କୁନି କୁନି ପ୍ରତିଭା ମାନଙ୍କ ଦ୍ୱାରା ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା।
ଏହି ଦିବସରେ ଅନ୍ତର୍ଜାତୀୟ ସ୍ତରରେ ଲିଟିଲ ସୁନ୍ଦରୀ ପ୍ରତିଯୋଗିତାରେ ବିୟୁଟି କ୍ଷେତ୍ରରେ ବିଜେତା ହୋଇଥିବା ଦିବ୍ୟଶ୍ରୀଙ୍କ ରାମ ରାମ ଭଜନ ଓ ସମ୍ବଲପୁରୀ ନୃତ୍ୟ ସହିତ ଅନ୍ୟ ପ୍ରତିଭା ମାନଙ୍କ ଓଡିଶୀ ପ୍ରଦର୍ଶନ ଦର୍ଶକ ମାନଙ୍କୁ ବେଶ ଆକର୍ଷଣ କରିଥିଲା। ଏଥି ସହିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କୁନି କୁନି ପିଲାମାନେ ଭାଗ ନେଇଥିଲେ। ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ପ୍ରବାସରେ ପାଳନ କରିଥିବାରୁ ବେଶ ଖୁସି ଥିବା କହିଛନ୍ତି। ଆୟୋଜକ ଆଦିତ୍ୟ କୁମାର ପାଢୀ ଓ ରଞ୍ଜନ କୁମାର ଗୋସ୍ୱାମୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କାର୍ଣ୍ଣାଟକର ପୂର୍ବତନ ଡିଜିପି ଶଙ୍କର ବଦରାଇ, କୃଷକ ସମାଜ ନବଦେଲିର କାର୍ଣ୍ଣାଟକ ରାଜ୍ୟ ସଭାନେତ୍ରୀ ମାଣିକ୍ୟ ଚିଲୁର, ସିଲିକନ ସିଟି କଲେଜର ଚେୟାରମ୍ୟାନ ଡ଼ ଏଚ୍ ଏମ୍ ଚନ୍ଦ୍ରଶେଖର, ଲେଖିକା ଇଂ ଅବନ୍ତୀକା ମଲିକ, ଉଇପ୍ରୋ ଗ୍ଲୋବାଲ୍ ହେଡ୍ ସୁର୍ଯ୍ୟ ପ୍ରକାଶ ମହାପାତ୍ର, ରାଜକୁଇନ ୨୦୨୧ ବିଜେତା କ୍ରୀଷ୍ଣା ସାହୁ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା, କାର୍ଣ୍ଣାଟକ ରାଜ୍ୟ ସମେତ ଅନ୍ୟାନ୍ୟ ରାଜ୍ୟ ଓ ବିଦେଶରେ ସାମାଜିକ ସେବା କ୍ଷେତ୍ରରେ କର୍ଯ୍ୟ କରୁଥିବା ସାମାଜିକ ଆହ୍ୱାନ ଫାଉଣ୍ଡେସନ, ଆଇ ଭି ଏଫ୍, ଜନକଲ୍ୟାଣ ସମିତି, ବଙ୍ଗୀୟ ସମାଜ ବେଙ୍ଗାଲୁରୁ ଅନୁଷ୍ଠାନ ଗୁଡିକୁ ସମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ ଓଡ଼ିଆ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କ ପାଇଁ ମଧ୍ୟାନ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଏଥି ସହିତ ବେଙ୍ଗାଲୁରୁର ପ୍ରସିଦ୍ଧ ଓଡ଼ିଆ ମିଷ୍ଠନ ଭଣ୍ଡାର ଓମ୍ ସୁଇଟ ପକ୍ଷରୁ ସମସ୍ତଙ୍କୁ ରସଗୋଲା ଓ ଛେନାପୋଡ଼ ବଣ୍ଟନ କରାଯାଇଥିଲା। ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଆ ମିଠା ଓଡ଼ିଶା ଦିବସରେ ଖାଇ ବେଶ ଖୁସି ହୋଇଥିଲେ ପ୍ରବସୀ।