କିଭ୍,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବୃଆରୀ ୨୪ ତାରିଖ ଠାରୁ ଜାରି ଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଛି। ଏହି ଯୁଦ୍ଧରେ ଯବନିକା ପକାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ଉଦ୍ୟମ କରିଛନ୍ତି। ଗୁଟେରେସ ଆଜି ୟୁକ୍ରେନ୍ର ରାଜଧାନୀ କିଭ୍ ପହଞ୍ଚି ସାରିଛନ୍ତି ସେ ୟୁକ୍ରେନ୍ର ରାଷ୍ଟ୍ରପତି ବୋଲୋଡିମୀର ଜେଲେନ୍ସ୍କିଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ସୂଚନାଯୋଗ୍ୟ, ୟୁଏନ୍ ମୁଖ୍ୟ ଗୁଟେରେସ ଦିନକ ପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଯାଏଁ କଥାବାର୍ତ୍ତା ହୋଇଥିଲା।
ତେବେ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁତିନ ଓ ଗୁଟେରେସଙ୍କ ଆଲୋଚନାରୁ କୌଣସି ପ୍ରକାରର ସକରାତ୍ମକ ଫଳ ବାହାରି ନଥିଲା। ଗୁଟେରେସଙ୍କ ୟୁକ୍ରେନ୍ ଗସ୍ତ ନେଇ ଜେଲେନ୍ସ୍କି ଉତ୍ସାହିତ ଦେଖାଯାଇଛନ୍ତି। ମାତ୍ର ଏହା ପୂର୍ବରୁ ଜେଲେନ୍ସ୍କି ଅମଙ୍ଗ ଥିଲେ। କାରଣ ଗୁଟେରେସ ପ୍ରଥମେ ରୁଷିଆ ଗସ୍ତ କରିଥିଲେ। ପୁତିନ ଓ ୟୁଏନ୍ ସାଧାରଣ ସଂପାଦକ ଆଣ୍ଟୋନିଓ ଶାନ୍ତିକୁ ନେଇ ମସ୍କୋରେ ଭେଟଘାଟ ହୋଇଥିଲେ। ୟୁଏନ ମହାସଚିବ ବିଶେଷ ଭାବରେ ମାରିୟୁପୋଲ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ। ସେ ରୁଷିଆକୁ ନିବେଦନ କରିଥିଲେ, ସେଠାରେ ଅତିକମରେ କିଛି ଦିନ ଯୁଦ୍ଧ ବନ୍ଦ କରାଯାଉ। ଏହା ଦ୍ୱାରା ଷ୍ଟିଲ କାରଖାନାରେ ନିୟୋଜିତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇପାରି।