୪୦ ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜେଇ

ବାରିପଦା,ଏନ୍ଏନ୍ଏସ୍: ୪୦ ହଜାର ଟଙ୍କା ଲାଞ୍ଚ ନେଇ ବାଲେଶ୍ୱର ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜେଇ ରକ୍ତସିନ୍ଧୁ ସେଠୀ। ସୂଚନା ଅନୁସାରେ, ଠାକୁରମୁଣ୍ଡା ବ୍ଲକ୍ ଅଧୀନ କେନ୍ଦୁଝିନାଇ ଗ୍ରାମର ରିତ ମହାନ୍ତ ଡ଼ାଙ୍ଗପାଣି ଗ୍ରାମରେ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ନେଇଥିଲେ। ଉକ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଅବଶିଷ୍ଟ ୧ ଲକ୍ଷ ଟଙ୍କାର ବିଲ ପାସ୍ କରାଇ ଦେବାପାଇଁ ଶ୍ରୀମହାନ୍ତ ରକ୍ତସିନ୍ଧୁ ସେଠୀଙ୍କୁ ବାରମ୍ବାର ଭେଟି ଥିଲେ। ବିଲ କରାଇ ଦେବାପାଇଁ ସେ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶ୍ରୀମହାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇ ଯୋଜନା ପ୍ରସ୍ତୁତ କରି ଭିଜିଲାନ୍ସ ନିକଟରୁ କେମିକାଲ ବୋଳା ୪୦ ହଜାର ଟଙ୍କା ଧରି ଆସିଥିଲେ। ଆଜି କନିଷ୍ଠ ଯନ୍ତ୍ରୀଙ୍କୁ ତାଙ୍କ ଭଡ଼ାଘରେ ୪୦ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ଜେଇଙ୍କୁ ଧରିଥିଲେ। ଏହାପରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।