ଟିଏମସି ପକ୍ଷରୁ ପ୍ରଚାର କଲେ ଜୟା ବଚ୍ଚନ

କୋଲକାତା, ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)କୁ ଗାଦିଚ୍ୟୁତ କରିବାକୁ ବିଜେପି ସମସ୍ତ କଳ, ବଳ, କୌଶଳ ଅବଲମ୍ବନ କରୁଥିବାବେଳେ ଉଭୟ ଦଳ ତାରକା ପ୍ରଚାରକଙ୍କ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। ଉଭୟ ଦଳ ପକ୍ଷରୁ ବଙ୍ଗୀୟ ଚଳଚ୍ଚିତ୍ର ଓ ଟିଭି ଜଗତର ଏକାଧିକ ତାରକାଙ୍କୁ ସାମିଲ କରାଯାଇଥିବାବେଳେ ବଲିଉଡକୁ ମଧ୍ୟ ଉଭୟ ଦଳ ଟାର୍ଗେଟ କରିଛନ୍ତି। ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ବିଜେପି ସଦସ୍ୟତା ହାସଲ କରିଥିବାବେଳେ ଦଳ ପାଇଁ ପ୍ରଚାର କାର୍ଯ୍ୟ କରୁଛନ୍ତି। ତାଙ୍କୁ ଟକ୍କର ଦେବାକୁ ଟିଏମସି ଇତିମଧ୍ୟରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନଙ୍କୁ ନିଜ ଶିବିରରେ ସାମିଲ କରିଛି। ମିଥୁନଙ୍କ ଭଳି ଜୟା ମଧ୍ୟ ବେଙ୍ଗଲି ଓ ପଶ୍ଚିମବଙ୍ଗ ସହ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ତେଣୁ ଜୟାଙ୍କ ଲୋକପ୍ରିୟତାରୁ ଫାଇଦା ଉଠାଇବାକୁ ଟିଏମସି ରଣନୀତି ପ୍ରସ୍ତୁତ କରିଛି। ଜୟା ରବିବାର କୋଲକାତାରେ ପହଞ୍ଚିବାପରେ ଟିଏମ୍ସି ସାଂସଦ ଡେରେକ ଓ’ବ୍ରାଏନ ଓ ପଶ୍ଚିମବଙ୍ଗ ଗୃହନିର୍ମାଣ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।