ଆହତ ଯବାନଙ୍କୁ ଡାକ୍ତରଖାନାରେ ଭେଟିଲେ ଅମିତ ଶାହ

ରାୟପୁର, ଏଜେନ୍ସି: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଛତିଶଗଡର ଜଗଦଲପୁରରେ ପହଞ୍ଚି ମାଓବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋମବାର ଜଗଦଲପୁରରେ ପହଞ୍ଚିବାପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କୁ ସ୍ୱାଗତ କରିଥିଲେ। ଶାହ ସେଠାରୁ ସିଧାସଳଖ ପୁଲିସ ଲାଇନସ୍ଥିତ ସିଆରପିଏଫ୍ କାର୍ଯ୍ୟାଳୟକୁ ଯାଇ ସେଠାରେ ରଖାଯାଇଥିବା ସହିଦ ଯବାନଙ୍କ ମରଶରୀର ଉପରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରବର୍ତ୍ତୀ ସମୟରେ ଶାହ ପୁଲିସ କୋଅର୍ଡିନେସନ ସେଣ୍ଟରରେ ଉଚ୍ଚପଦସ୍ଥ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବୈଠକକୁ ସମ୍ବୋଧିତ କରିବା ସହ ରାଜ୍ୟରେ ମାଓବାଦୀ ଦମନ ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା ମଧ୍ୟ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ବାଘେଲ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଶାହ ହେଲିକପ୍ଟର ଯୋଗେ ବିଜାପୁର ଜିଲ୍ଲା ଅନ୍ତର୍ଗତ ବାସାଗୁଡାସ୍ଥିତ ସିଆରପିଏଫ୍ ଶିବିର ପରିଦର୍ଶନ କରିବା ସହ ବିଜାପୁର-ସୁକମା ସୀମାନ୍ତବର୍ତ୍ତୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଶାହ ରାୟପୁର ଯାଇ ସେଠାରେ ତିନିଟି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଶନିବାର ବିଜାପୁରରେ ମାଓବାଦୀଙ୍କ ସହ ଏନକାଉଣ୍ଟରରେ ୨୨ ଜଣ ଯବାନ ସହିଦ ହୋଇଥିବାବେଳେ ଆଉ କେତେକ ଆହତ ହୋଇଛନ୍ତି। ପ୍ରଥମ ଦିନ ଘଟଣାସ୍ଥଳରୁ ୫ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ରବିବାର ଆଉ ୧୭ ଯବାନଙ୍କ ମୃତଦେହ ମିଳିଥିଲା।