ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ: ବହୁ ମାଓ ସାମଗ୍ରୀ ଜବତ

ମାଲକାନଗିରି,ଏନ୍ଏନ୍ଏସ୍: ଦୀର୍ଘ ଦିନର ନୀରବତା ପରେ ପୁଣି ମାଲକାନଗିରି ଜିଳ୍ଲାରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତରେ ଗତକାଲି ରାତ୍ରିରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିିଛି। ମାଲକାନଗରି ଜିଲ୍ଲାର ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଡ଼ଡୁରାଲ ପଂଚାୟତର ପୂଜାରୀଗୁଡ଼ା ଓ କୋରାପୁଟର ବାଲିକୁଣ୍ଡ ଜଙ୍ଗଲରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ବାହିନୀ କୁମ୍ବିଂ ଅପରେସନ କରୁଥିବା ବେଳେ ଏହି ଗୁଳିବିନିମୟ ଘଟିଛି।

କୁମ୍ବିଂ ବେଳେ ମାଓବାଦୀମାନେ ପୁଲିସ ଉପରେ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର ପ୍ରତିଜବାବରେ ସୁରକ୍ଷାର୍ମିମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ବହୁ ସମୟ ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଜଙ୍ଗଲ ଓ ଅନ୍ଧାରର ଫାଇଦା ନେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଗୁଳିବିନିମୟ ପରେ ସୁରକ୍ଷାକର୍ମିଙ୍କ ପକ୍ଷରୁ ସଂପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରୀ ରହିଛି ।

ତଲାସୀ ବେଳେ ଘଟଣାସ୍ଥଳରୁ ପୁଲିସ ମାଓବାଦୀଙ୍କ କିଟ ବ୍ୟାଗ, ଔଷଧପତ୍ର, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ବହୁ ସମାଗ୍ରୀ ଜବତ କରଥିବା ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ମାଲକାନଗିରି ଏସ.ପି ରିଷିକେଶ ଡି ଖିଲାରୀ କୁମ୍ବିଂ ଅପରେସନରୁ ଫେରିନଥିବାରୁ ନିର୍ଦ୍ଧିିଷ୍ଟ କି କି ସାମଗ୍ରୀ ମିଳିଛି ଓ ଓ ଗୁଳି ବିନିମୟ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ।