ଜାପାନରେ ଜଳବନ୍ଦୀ ଓଡ଼ିଆ ଇଞ୍ଜିନିୟର: ଭାଇଙ୍କୁ ଉଦ୍ଧାର କରିବାକୁ ଭଉଣୀଙ୍କ ଆକୁଳ ନିବେଦନ

ମାଲକାନଗିରି,ଏନ୍ଏନ୍ଏସ୍: ବ୍ରହ୍ମପୁରର ଶିବାଶିଷ ନାୟକ ନାମକ ଜଣେ ଯୁବ ଇଞ୍ଜିନିୟର କୋରନା ଭାଇରସର ଆତଙ୍କ ଯୋଗୁଁ ଜାପାନରେ ଫସି ରହିଥିବାରୁ ତାଙ୍କୁ ଉଦ୍ଧାର ଲାଗି ସରକାରଙ୍କୁ ଆକୂଳ ନିବେଦନ କରିଛନ୍ତି, ମାଲକାନଗିରିରେ ଥିବା ତାଙ୍କ ଭଉଣୀ। ଦିଲ୍ଲୀର ଏକ କମ୍ପାନୀରେ ସେ ଚାକିରୀ କରୁଥିବା ବେଳେ କମ୍ପାନୀର କୌଣସି କାର୍ଯ୍ୟରେ ସେ ଜାପାନ ଯାଇଥିଲେ। ତେବେ ଏକ ଜାହାଜରେ ଜାପାନରେ ପହଂଚିବା ପରେ ସେଥିରେ ଥିବା ଅନେକ ଯାତ୍ରୀ କୋରନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା।

ଏହାପରେ ଜାପାନ ସରକାର ଗତ ୧୫ ରୁ ୨୦ ଦିନ ହେଲା ସେମାନଙ୍କୁ ସେଠାରେ ରଖିଥିବା ବେଳେ ବାହାରକୁ ଆସିବାକୁ ଅନୁମତି ଦେଉନଥିବାରୁ ସେ ସେଠାରେ ଫସି ରହିଛନ୍ତି। ଫଳରେ ତାଙ୍କ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇଥିବା ବେଳେ ମାଲକାନଗିରିରେ ତ୍ରିପତି ନାୟକଙ୍କୁ ବିବାହ କରିଥିବା ତାଙ୍କ ଭଉଣୀ ସିମରନ ନାୟକ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।

ଗତକିଛି ଦିନ ପୂର୍ବରୁ ତାଙ୍କୁ ଏୟାର ଲିଫ୍ଟ କରି ଅଣାଯିବ ବୋଲି ଖବର ମିଳିଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ଭାରତ ସରକାର ଓ ଓଡ଼ିଶା ସରକାର ତାଙ୍କ ଭାଇଙ୍କୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରିବାକୁ ଶିବାଶିଷଙ୍କ ଭଉଣୀ ସିମରନ ନିବେଦନ କରିଛନ୍ତି। ଭାଇଙ୍କୁ ସୁରକ୍ଷିତ ଭାବେ ଯେଭଳି ପହଂଚିବେ , ସେଥିପାଇଁ ତାଙ୍କ ପରିବାର ବର୍ଗ ସ୍ଥାନୀୟ ଦୁର୍ଗା ମନ୍ଦିର ଯାଇ ଆଶିର୍ବାଦ ଭିକ୍ଷା କରିଛନ୍ତି।