‘ଜଙ୍ଗଲ ରକ୍ଷା ବନ୍ଧନ’ ପାଳିତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ରକ୍ଷା ବନ୍ଧନ ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଦୀର୍ଘ ୧୭ ବର୍ଷ ଧରି ଜିଲ୍ଲାର ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ, ସଦସ୍ୟା, ବନପ୍ରେମୀ ଓ ବନ ବିଭାଗର ମିଳିତ ଉଦ୍ୟମରେ ରକ୍ଷା ବନ୍ଧନକୁ ‘ଜଙ୍ଗଲ ରକ୍ଷା ବନ୍ଧନ’ ମହୋତ୍ସବ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ କୋଭିଡ଼-୧୯ କଟକଣାକୁ ଦୃଷ୍ଟିରେ ରଖି ସୀମିତ ଜନସାଧାରଣଙ୍କୁ ନେଇ ସ୍ପାର୍ଡ଼ା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଦେଉଳି ବନାଞ୍ଚଳର ମିଳିତ ଉଦ୍ୟମରେ ଶୁଳିଆପଦା ନିକଟସ୍ଥ ପାକଟିଆ ଜଙ୍ଗଲରେ ସ୍ପାର୍ଡାର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ଜଙ୍ଗଲରେ ଥିବା ଗଛମାନଙ୍କରେ ରାଖୀ ବନ୍ଧାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିିିିିିିିିିିିିିିିିିିିକ, ପ୍ରବେଶନ ଅଫିସର ସୁଦର୍ଶନ ଗୋପୀନାଥ ଯାଦବ, ଦେଉଳି ରେଞ୍ଜ ଅଧିକାରୀ ରବିନାରାୟଣ ମହାନ୍ତି ଉପସ୍ଥିତ ଥିଲେ। ଏଥିସହିତ ନିକଟସ୍ଥ ଅଗ୍ରଣୀ ଜଙ୍ଗଲ ସୁରକ୍ଷା କମିଟିର କର୍ତ୍ତାମାନେ ଉପସ୍ଥିତ ରହି ପ୍ରଚଳିତ ପରମ୍ପରା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ।

ସେହିପରି ଗଣ୍ଡିଆଡ଼ିହା ଭିଏସ୍ଏସ୍ ପକ୍ଷରୁ ପାଳିତ ହୋଇଥିବା ‘ଜଙ୍ଗଲ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମକୁ ସ୍ପାର୍ଡ଼ାର ପ୍ରୋଗ୍ରାମ ଅଫିସର ମୋହନ ମୁର୍ମୁ ଏବଂ ଶୁଳିଆପଦା ବନରକ୍ଷୀ ବିଜୟ କୁମାର ସେଠୀ ପରିଚାଳନା କରିଥିଲେ।