ଜମ୍ମୁ କଶ୍ମୀରରେ ୧୯୯୦ ଭଳି ସ୍ଥିତି! କଶ୍ମୀର ପଣ୍ଡିତ ସାମୂହିକ ପଳାୟନ ପାଇଁ ନେଲେ ନିଷ୍ପତ୍ତି

ଶ୍ରୀନଗର,ଏଜେନ୍ସି: କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ଦେଖିବାକୁ ମିଳୁଛି। ଏହି ଘଟଣାଗୁଡ଼ିକ ହିନ୍ଦୁମାନଙ୍କୁ ଅଧିକ ଡରାଉଛି। ଗୁରୁବାର ଆତଙ୍କବାଦୀମାନେ ଜଣେ ହିନ୍ଦୁ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସେହିପରି ଇଟାଭାଟିରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ଗୁଳି କରିଛନ୍ତି। ଜଣେ ବିହାର ରାଜ୍ୟର ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନର ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ବିଗତ ଏକ ସପ୍ତାହ କଥା ଯଦି ଦେଖିବା, ତା’ହେଲେ ଆତଙ୍କବାଦୀମାନେ ରକ୍ତମୁଖା ହୋଇଛନ୍ତି। ଏସବୁ ଦୃଷ୍ଟିରୁ କଶ୍ମୀର ପଣ୍ଡିତମାନେ ଏବେ ଘାଟିରୁ ସାମୂହିକ ପଳାୟନ କରିବାକୁ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ କଶ୍ମୀର ପଣ୍ଡିତମାନେ ଜୁନ ୩ ତାରିଖ ଠାରୁ ସାମୂହିକ ଭାବେ ଘାଟିରୁ ପଳାୟନ କରିବେ।

ଗୁରୁବାର ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ପରେ କଶ୍ମୀରୀ ପଣ୍ଡିତମାନେ ଜରୁରୀକାଳୀନ ବୈଠକ ଡାକିଥିଲେ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କଶ୍ମୀରୀ ପଣ୍ଡିତମାନେ ନିର୍ଦ୍ଧାରିତ କରିଛନ୍ତି ଯେ, ଘାଟିର ଯେଉଁ ଅଞ୍ଚଳରେ କଶ୍ମୀରୀ ପଣ୍ଡିତମାନେ ପ୍ରଦର୍ଶନ କରୁଥିଲେ, ସେହି ସ୍ଥାନଗୁଡ଼ିକରେ ଏହା ତତ୍‌କାଲ ବନ୍ଦ କରିଦିଆଯିବ। ବୈଠକରେ ଚର୍ଚ୍ଚା ହୋଇଛି ଯେ, ସଂଖ୍ୟାଲଘୁମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ଏଥିପାଇଁ ଘାଟି ଛାଡ଼ି ପଳାୟନ କରିବା ଶ୍ରେଷ୍ଠ ହେବ। ବୈଠକରେ ସବୁ ଲୋକଙ୍କୁ ବନିହାଲର ନଭଯୁଗ ସୁଡ଼ଙ୍ଗ ପାଖରେ ଏକତ୍ର ହେବାକୁ କୁହାଯାଇଛି।

କଶ୍ମୀରର ଅନନ୍ତନାଗରେ ସୁରକ୍ଷା ଶିବିରରେ ରହୁଥିବା ପ୍ରଦର୍ଶନକାରୀ ରଂଜନ ଜୁତଶୀ କହିଛନ୍ତି ଯେ, ୨୨ ଦିନ ହେଲା ପ୍ରଦର୍ଶନ କରାଯାଉଛି। ଆମର ଦାବି ହେଲା ଯେ, ଆମକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉ। ବିଜୟ କୁମାର ଓ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଯେଉଁ ଦିନ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଗଲା, ସେହିଦିନ ଠାରୁ ଆମେ କହିଆସୁଛୁ ଯେ, ଆମକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉ। ଯେଉଁଭଳି ଭାବେ ୧୯୯୦ରେ ଆମର ପଳାୟନ ହୋଇଥିଲ, ଏବେ ସେହିଭଳି ଭାବେ ପଳାୟନ କରିବାର ସମୟ ଆସିଛି। ପାଖାପାଖି ୩୦୦୦ କର୍ମଚାରୀ ପୂର୍ବରୁ ଜମ୍ମୁ ପହଞ୍ଚି ସାରିଛନ୍ତି। ମଟ୍ଟନ ଅଞ୍ଚଳରୁ ୨୦ଟି ଗାଡ଼ିରେ ଲୋକେ ଯାଇଛନ୍ତି।