ସେନା ଗୁଳିରେ ଟଳିଲେ ୫ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ-କଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ସୁରକ୍ଷାବଳ ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଳାଯାଇଛି । ଘେରାବନ୍ଦୀ ଓ ଗୁଳି ବିନିମୟ ମଧ୍ୟରେ ସେନା ଗୁଳିରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଗତ ଚାରି ଦିନ ଭିତରେ ସୋପିଆନରେ ତୃତୀୟ ଏନକାଉଣ୍ଟର।

ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି, ଆତଙ୍କବାଦୀଙ୍କ ଛପି ରହିଥିବାର ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ୱତନ୍ତ୍ର ପୋଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଆଜି ଭୋରରୁ ସୋପିଆନର ସୁଗୁ ହନ୍ଦାମାହ ଗାଁ’ରେ ମିଳିତ ଅପରେସନ ଆରମ୍ଭ କରିଥିଲେ।

ସୁରକ୍ଷାବଳ ସମସ୍ତ ମାର୍ଗକୁ ସିଲ୍ କରି ଘର ଘର ତଲାସି ନେଇଥିଲେ। ସୁରକ୍ଷାବଳର ଯବାନ ସକାଳ ପ୍ରାୟ ସାଢେ ୫ଟାରେ ଯେବେ ଗାଁ’ର ଲକ୍ଷିତ କ୍ଷେତ୍ର ଆଡେ ବଢୁଥିଲେ ସେହି ସମୟରେ ଛପି ରହିଥିବା ଆତଙ୍କବାଦୀ ଆଖିବୁଜା ଗୁଳିମାଡ ଆରମ୍ଭ କରିଥିଲେ। ସୁରକ୍ଷାବଳ ମଧ୍ୟ ପାଲଟା ଜବାବ ଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ଜାରି ଗୁଳି ବିନିମୟରେ ୫ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହି ଚାରି ଦିନରେ ୧୪ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇ ସାରିଲେଣି।