ଜାଲିଆନାୱାଲାବାଗ୍ ଘଟଣାକୁ ୧୦୨ ବର୍ଷ ପୂରିଲା

ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବର ଅମୃତସରସ୍ଥିତ ଜାଲିଆନାୱାଲାବାଗ୍ ନରସଂହାର ମାମଲାର ୧୦୨ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ପଞ୍ଜାବର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଏହି ଅମାନବୀୟ କାର୍ଯ୍ୟକୁ ନିନ୍ଦା କରାଯିବା ସହ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୧୯୧୯ ଏପ୍ରିଲ ୧୩ରେ ପବିତ୍ର ବୈଶାଖି ଉତ୍ସବ ପାଳନ ଏବଂ ଦୁଇ ସ୍ୱାଧୀନତା ସଂଗ୍ରାମୀ ସତ୍ୟପାଲ ଓ ସୈଫୁଦ୍ଦିନଙ୍କ ଦେଶାନ୍ତର ନିର୍ଦ୍ଦେଶ ପ୍ରତିବାଦରେ ଜାଲିଆନାୱାଲାବାଗ ପାର୍କରେ ସହସ୍ରାଧିକ ଲୋକ ଏକତ୍ର ହୋଇଥିଲେ। ସେମାନେ ଶାନ୍ତିପୂର୍ଣ୍ଣଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ତତ୍କାଳୀନ ବ୍ରିଟିଶ ବ୍ରିଗେଡିୟର ଜେନେରାଲ ରେଗିନାଲ୍ଡ ଡାୟାର ଶତାଧିକ ବ୍ରିଟିଶ ସୈନ୍ୟଙ୍କ ସହ ସେଠାରେ ପହଞ୍ଚି ଉପସ୍ଥିତ ଲୋକଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପାର୍କର ଏକମାତ୍ର ପ୍ରସ୍ଥାନ ଦ୍ୱାରକୁ ସୈନ୍ୟମାନେ ଅବରୋଧ କରିଥିବାବେଳେ ଲୋକେ ବାହାରି ନପାରି ବ୍ରିଟିଶ ସୈନ୍ୟଙ୍କ ଗୁଳିର ଶିକାର ପାଲଟିଥିଲେ। ସରକାରୀ ହିସାବ ଅନୁଯାୟୀ ଏହି ଘଟଣାରେ ୩୭୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨୦୦ରୁ ଅଧିକ ଆହତ ହୋଇଥିଲେ। ତେବେ ବେସରକାରୀଭାବେ ମୃତ୍ୟୁସଂଖ୍ୟା ଏକ ହଜାର ଟପିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଜାଲିଆନାୱାଲାବାଗ୍ ପଞ୍ଜାବର ଅନ୍ୟତମ ପ୍ରମୁଖ ଐତିହାସିକ ପର୍ଯ୍ୟଟନ ସ୍ଥଳ ପାଲଟିଥିବାବେଳେ ପାର୍କ ମଧ୍ୟରେ ଗୁଳି ବାଜିଥିବା ସ୍ଥାନଗୁଡିକୁ ଦେଖିଲେ ସ୍ୱତଃପ୍ରବୃତ୍ତଭାବେ ଲୋମ ଟାଙ୍କୁରି ଉଠିଥାଏ।