“ନିତିଦିନ’ପ୍ରଭାବ: ଯାଜାବରଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

ଦେବଗଡ଼,ଏନ୍ଏନ୍ଏସ୍: ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ବାସହୀନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲେ ମଧ୍ୟ ସଠିକ୍ ପରିଚାଳନାର ଅଭାବରୁ ବାସହୀନମାନେ ରାସ୍ତାକଡ଼ରେ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳିଥିଲା । ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୬ନମ୍ବର ୱାର୍ଡ ମୁଖ୍ୟ ରାସ୍ତା କଡ଼ରେ ପୌରପରିଷଦର ମାଛ, ମାଂସ ବଜାର ପଛପଟରେ ଥିବା ଖୋଲା ସ୍ଥାନରେ ୨୧ ସଦସ୍ୟ ବିଶିଷ୍ଟ ୪ଟି ଯାଯାବର ପରିବାର ଗତ କିଛିଦିନ ଧରି ଦିନବେଳେ ଲୌହ ସାମଗ୍ରୀ ବିକ୍ରି କରି ସେଠାରେ ରହୁ ଥିବାବେଳେ ରାତିରେ ସେହି ସ୍ଥାନରେ ମହିଳା ଓ ଶିଶୁଙ୍କ ସହ ଖୋଲା ଆକାଶତଳେ ଏକ କମ୍ବଳ ଘୋଡାଇ ରହୁଥିଲେ।

ଉକ୍ତ ଯାଯାବର ପରିବାର ରହୁଥିବା ସ୍ଥାନରୁ ପୌରପରିଷଦ ପକ୍ଷରୁ ନିର୍ମିତ ବାସହୀନଙ୍କ ଆଶ୍ରୟସ୍ଥଳୀ ମାତ୍ର ୫୦୦ ମିଟର ଦୂରରେ ଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଉଦାସିନତା ହେତୁ ଯାଯାବର ପରିବାରଙ୍କୁ ଏଯାଏଁ ଉକ୍ତ ଆଶ୍ରୟସ୍ଥଳୀରେ ସ୍ଥାନ ମିଳିପାରିନଥିଲା । ଏ ସମ୍ପର୍କରେ “ନିତିଦିନ’ପୋର୍ଟାଲରେ ଆଜି ରିପୋର୍ଟ ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ପୌରନିର୍ବାହୀ ଅଧିକାରୀ ଯାଯାବର ପରିବାରଙ୍କୁ ରାସ୍ତାକଡ଼ରୁ ସ୍ଥାନାନ୍ତର କରି ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳରେ ଥଇଥାନ କରିଥିବା ଜଣାପଡ଼ିଛି।