ଜମ୍ମୁ କଶ୍ମୀର: ସୁରକ୍ଷାବାହିନୀକୁ ବଡ଼ ସଫଳତା, ଆତଙ୍କବାଦୀ ଜୈଶ ସେଫୁଲ୍ଲା ନିହତ

ଶ୍ରୀନଗର,ଏଜେନ୍ସି: ସୁରକ୍ଷାବାହିନୀକୁ ଆଜି ଏକ ବଡ଼ ସଫଳତା ମିଳିଛି। ପୁଲୱାମା ଜିଲ୍ଲାରେ ସୁରକ୍ଷାବାହିନୀ ଗୁଳିରେ ଜୈଶ ଏ ମୋହମ୍ମଦର ସଦସ୍ୟ ଅବୁ ସେଫୁଲ୍ଲା ନିହତ ହୋଇଛି। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ଅବୁ ସେଫୁଲ୍ଲା। ଅଧିକାରୀଙ୍କ ସୂଚନା ଅନୁସାରେ ଅବୁ ସେଫୁଲ୍ଲାକୁ ଜିସେ ଅଦନାନ, ଇସମାଇଲ ଓ ଲମ୍ବୁ ନାମରେ ମଧ୍ୟ ଜଣାଯାଏ। ଅବୁ ସେଫୁଲ୍ଲା ପୁଲୱାମାର ତ୍ରାଲରେ ଅନ୍ୟ ଜଣେ ଆତଙ୍କବାଦୀଙ୍କ ସହିତ ନିହତ ହୋଇଛି।

ଅଧିକାରୀ ବିଜୟ କୁମାରଙ୍କ ସୂଚନା ଅନୁସାରେ ୨୦୧୯ ମସିହା ୧୪ ଫେବୃଆରୀରେ ହୋଇଥିବା ପୁଲୱାମା ଆକ୍ରମଣ ସହିତ ଅନ୍ୟ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା। ସେଫୁଲ୍ଲା ଗାଡ଼ିରେ ନିଆଯାଉଥିବା ଆଇଇଡ଼ି ବିଶେଷଜ୍ଞ ଥିଲା।

ପୁଲିସ ସୂଚନା ଅନୁସାରେ ଆଜି ସକାଳେ ସୁରକ୍ଷାବାହିନୀ ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ଖବର ପାଇ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଏହାର ଯବାବରେ ସୁରକ୍ଷାଦଳ ମଧ୍ୟ ଗୁଳି ଚାଳନା କରିଥିଲେ। ତେବେ ଅବୁ ସେଫୁଲ୍ଲା ସହିତ ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ତେବେ ତାର ପରିଚୟ ମିଳିପରି ନାହିଁ। ସେଠାରୁ ଏମ-୪ ରାଇଫଲ, ଏକେ ୪୭ ରାଇଫଲ ଓ ୨ଟି ଭିନ୍ନ ଭିନ୍ନ ପିସ୍ତଲ ଜବତ ହୋଇଛି।