ଡେରାଡୁନ,ଏଜେନ୍ସି: ପାର୍ବଣ ଋତୁରେ ପୁଣିଥରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ଆସିଛି । ଉତ୍ତରାଖଣ୍ଡର ହରିଦ୍ବାର ଓ ଋଷିକେଶ ବ୍ୟତୀତ ଚାରିଧାମରେ ବୋମା ବିସ୍ଫୋରଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ଧମକ ଦେଇଛି । ହରିଦ୍ବାର ରେଳ ଷ୍ଟେସନରେ ଆତଙ୍କୀ ସଂଗଠନ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଏଥିରେ ଆସନ୍ତା ୨୫ ଓ ୨୭ ତାରିଖରେ ଉପରୋକ୍ତ ଧର୍ମସ୍ଥଳ ଗୁଡିକରେ ବୋମା ପକାଇ ଉଡାଇବାକୁ ଧମକ ଦିଆଯାଇଛି ।
ସବୁଠୁ ବଡ କଥା ହେଲା, ଗତ ଅକ୍ଟୋବର ୧୦ ତାରିଖରୁ ପୁଲିସକୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲେ ହେଁ ଏ ପର୍ଯ୍ୟନ୍ତ ଏହାକୁ ଚପାଇ ରଖାଯାଇ ଥିଲା । ଏହି ଚିଠି ଘଟଣାରେ ଜିଆରପି ହରିଦ୍ବାର ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଧମକ ମିଳିବାର ଏହା ପ୍ରଥମ ଘଟଣା ନୁହେଁ । ବିଗତ ୧୦ ବର୍ଷ ମଧ୍ୟରେ ପାର୍ବଣ ଋତୁ ଏବଂ ବଡ ବଡ ଉତ୍ସବ ସମୟରେ ହରିଦ୍ବାରରେ ବୋମା ଆଟାକ୍ ପାଇଁ ରେଳ ଷ୍ଟେସନକୁ ଏପରି ଅନେକ ଚିଠି ଆସିଛି ।
ବର୍ତ୍ତମାନ ଆଗକୁ ଦୀପାବଳି ଥିବାବେଳେ ପୁଣିଥରେ ଷ୍ଟେସନ ଅଧ୍ୟକ୍ଷ ଏମକେ ସିଂହ ଧମକପୂର୍ଣ୍ଣ ଚିଠି ପାଇଛନ୍ତି । ଆତଙ୍କୀ ସଂଗଠନ ଜୈସ୍ ଇ ମହମ୍ମଦ ଏରିଆ କମାଣ୍ଡର ପକ୍ଷରୁ ଗତ ୧୦ ତାରିଖରେ ଏହି ଚିଠି ଆସିଛି । ଆକ୍ରମଣ ଧମକ ମିଳିବା ପରେ ପୁଲିସ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ହରିଦ୍ବାର, ଋଷିକେଶ ସମେତ ଚାରିଧାମନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏକ ସ୍ବତନ୍ତ୍ର ଏସଆଇଟି ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରାଯାଉଥିବା ସୂଚନା ମିଳିଛି ।