ଜଗବନ୍ଧୁ ମାଝୀଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ହାଟପଦା ଠାରେ ଶନିବାର ପୂର୍ବତନ ବିଧାୟକ ସ୍ବର୍ଗତ ଜଗବନ୍ଧୁ ମାଝୀଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉପାଧକ୍ଷା ଲିପିକା ବାରୋଇ, ବ୍ଲକ ବିଜେଡ଼ି ସଭାପତି ରାଇସିଂ ଗଣ୍ଡ,ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ, ନାନାରା ଖରା, ଖଗେଶ୍ବର ହରିଜନ, ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୂଜାରୀଙ୍କ ସମେତ ବିଜେଡ଼ି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ଜଗବନ୍ଧୁ ମାଝୀ ଏବଂ ତାଙ୍କ ଅଙ୍ଗରକ୍ଷୀ ସୁଶାନ୍ତ ପାତ୍ରଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ୩ ଟା ସମୟରେ ଗୋନା ହାଟପଦା ଠାରେ ଥିବା ସହୀଦ ସ୍ମୃତିସ୍ତମ୍ବ ନିକଟରେ ସମସ୍ତ ଅତିଥି ଏକତ୍ରିତ ହୋଇଥିଲେ।ସମସ୍ତ ଅତିଥି ସହୀଦଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସହୀଦଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ମାନ ଦେଇଥିଲେ। ପରେ ପରେ ଏହି ଉଦ୍ଦେଶ୍ଯରେ ଗୋନା ଖେଳ ପଡ଼ିଆ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଜଗବନ୍ଧୁ ମାଝୀଙ୍କ ଜୀବନୀ ଓ ଏ ଅଞ୍ଚଳରେ ତାଙ୍କ ଅବଦାନକୁ ନେଇ ଅତିଥି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମ ସ୍ଥଳକୁ ଅତିଥି ମାନେ ବିଳମ୍ବରେ ପହଞ୍ଚିବା ସତ୍ବେ ମଧ୍ୟ ଏ ଅଂଚଳର ହଜାର ହଜାର ଲୋକେ ଅପେକ୍ଷା କରି ସହୀଦ ଦିବସକୁ ପାଳନ କରିଥିଲେ।ପ୍ରକାଶ ଥାଉକି ଗତ ୨୦୧୧ ମସିହା ସେପଟେମ୍ବର ୨୪ ତାରିଖ ଦିନ ଗୋନା ହାଟପଦା ଠାରେ ଆୟୋଜିତ ଏକ ସଭାରେ ତତ୍କାଳୀନ ଉମରକୋଟ ବିଧାୟକ ସ୍ବର୍ଗତ ଜଗବନ୍ଧୁ ମାଝୀ ଜଂଗଲ ଜମି ପଟ୍ଟା ବଣ୍ଟନ କରୁଥିବା ସମୟରେ କିଛି ଦୁର୍ବୁତ୍ତ ପ୍ରଥମେ ଅଙ୍ଗରକ୍ଷୀ ସୁଶାନ୍ତ ପାତ୍ରଙ୍କୁ ଗୁଳି କରିଥିଲେ।

ପରେ ସେମାନେ ଅତି ନିକଟରୁ ଜଗବନ୍ଧୁ ମାଝୀଙ୍କ ଉପରେ ଗୁଳି ବର୍ଷା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।କିଛି ବର୍ଷ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏହି ହତ୍ୟାକାଣ୍ଡ ପଛରେ ମାଓ ସଙ୍ଗଠନ ନିଜକୁ ଦାୟୀ କରିଥିବା କହି ତଦନ୍ତ ଫାଇଲ୍ ରେ ଡୋରୀ ବନ୍ଧା ହୋଇଛି। ଏହାକୁ ମନେ ରଖିବା ପାଇଁ ତତ୍କାଳୀନ ଦଳିତ ସମାଜର କିଛି ପୁରୁଖା ନେତା ଓ ବିଜେଡ଼ି ଦଳ ପକ୍ଷରୁ ଆଜି ଦିନରେ ଗୋନା ଠାରେ ସହୀଦ ଦିବସ ପାଳନ କରି ଆସୁଥିବା ଜଣାପଡ଼ିଛି l