ଜଗନମୋହନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,ଏଜେନ୍ସି: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦୁଇ ଜଣ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସେମାନେ ଆବେଦନରେ ଦର୍ଶାଇଛନ୍ତି ଯେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ ଏନ୍ ଭି ରମଣଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି କିଛି ଦିନ ତଳେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବାରୁ ତାଙ୍କୁ ତାଙ୍କ ପଦରୁ ହଟାଯିବା ଦରକାର ବୋଲି ଏହି ଆବେଦନରେ କୁହାଯାଇଛି।

ସୂଚନାଯୋଗ୍ୟ ଗତ ୧୨ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ ଏନ୍ଭି ରମଣଙ୍କ ବିରୋଧରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିଥିଲେ। ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭାଙ୍ଗିବା ଲାଗି ଜଷ୍ଟିିସ ରମଣ ଷଡଯନ୍ତ୍ର ଚଳାଇଛନ୍ତି। ଜଷ୍ଟିସ ରମଣଙ୍କ ଏପରି ଯୋଜନାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କେତେକ ବିଚାରପତି ସମ୍ପୃକ୍ତ ଅଛନ୍ତି ବୋଲି ଜଗନ ଅଭିଯୋଗ କରିଥିଲେ। ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ଭାବେ ଜଣାଶୁଣା ଜଷ୍ଟିସ ରମଣ ରାଜ୍ୟ ସରକାରଙ୍କୁ ଭାଙ୍ଗିବା ଲାଗି ନ୍ୟାୟପାଳିକାକୁ ଉପଯୋଗ କରୁଥିବା ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଥିଲେ। ଚିଠିରେ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ଜଣ ବିଚାରପତିଙ୍କ ବିରୋଧରେ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।