ବେଜିଂ,ଏଜେନ୍ସି: ଲଦାଖ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଅବସ୍ଥାରେ ଥିଲା ବେଳେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧ ପାଇଁ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ସେ ଚୀନ୍ ସେନାକୁ ଆହ୍ୱାନ ଦେଇଛନ୍ତି। ଚୀନ୍ ସମ୍ବାଦ ସରବରାହ ସଂସ୍ଥା ଜିନହୁଆକୁ ଉଦ୍ଧାର କରି ସିଏନଏନ୍ ଏହି ରିପୋର୍ଟ ପ୍ରକାଶ କରିଛି। ଜିନପିଙ୍ଗ ଚାଓଝାଉ ସହରରେ ପିଏଲଏର ମେରାଇନ୍ କୋର୍ ସାମରିକ ବେସ୍ ନିରୀକ୍ଷଣ କରିବା ଅବସରରେ ଏଭଳି ଆହ୍ୱାନ ଦେଇଛନ୍ତି। ସେ ସେନାକୁ ହାଇଆଲର୍ଟ କରି କହିଛନ୍ତି, ସେମାନେ ଦେଶପ୍ରତି ଅନୁଗତ ଓ ବିଶ୍ୱସ୍ତ ରୁହନ୍ତୁ। ବୁଧବାର ସେନଝେନ୍ ସ୍ପେଶାଲ ଇକୋନୋମିକ୍ ଜୋନର ୪୦ତମ ବାର୍ଷିକ ପାଳନ ଅବସରରେ ଜିନପିଙ୍ଗ ଗୁଆଙ୍ଗଡଙ୍ଗ ପରିଦର୍ଶନରେ ଯାଇ ସେନାକୁ ସମ୍ବୋଧିତ କରିଥିଲେ।