କନ୍ଧମାଳକୁ ଫେରିବ ଜଗା

ଫୁଲବାଣୀ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆର ପରଲୋକ ହୋଇଯାଇଥିବା ବେଳେ ଜଗାକୁ କନ୍ଧମାଳକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ତାକୁ ସେଠାରୁ ଆଣି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଆଜି ଏଠାରୁ ଦୁଇ ଜଣିଆ ଡାକ୍ତରୀ ଟିମ୍ ଏସ‌ସିବି ଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ‌ଓ ଅଭୟ ପଟ୍ଟନାୟକ।

ଏହି ଦୁଇ ଜଣିଆ ଡାକ୍ତରୀ ଟିମ୍ ଜଗାର ଚିକିତ୍ସା ପଦ୍ଧତି ସଂପର୍କରେ ଏସ‌ସିବିର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ। ତା’ପରେ ଜଗାକୁ ଏଠାକୁ ଅଣାଯିବାର ଯୋଜନା ରହିଛି ବୋଲି ଏଡିଏମ‌ଓ କହିଛନ୍ତି।

ଜଗାକୁ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠାର ଏକ କ୍ୟାବିନରେ ବ୍ୟବସ୍ଥା କରାଯାଇଛି। ଗତ ବର୍ଷ ନଭେମ୍ବର ୨୫ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା।