କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ୱର ଏକ ଶିକ୍ଷାନୁଷ୍ଠାନ ସିଲ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ସ୍ଥିତ ଶିକ୍ଷାନୁଷ୍ଠାନ ଏକ୍ସଆଇଏମବିକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ‌ସି)। ଏହି ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମ‌ସି। ବିଏମ୍‌ସିର ନିର୍ଦ୍ଦେଶ ଅନୁଯାୟୀ, ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ। ସେହିପରି କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି। କେବଳ ବିଏମ‌ସି କର୍ମଚାରୀ କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ବିଏମସି ଯୋଗାଇ ଦେବ।

ଏହା ସହିତ ଶିକ୍ଷାନୁଷ୍ଠାନର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମରେ ଆଇସୋଲେସନ‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ଉପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କଡ଼ା ନଜର ରଖିବେ।

ଟେଷ୍ଟ ପରେ ଆଉ ଯେଉଁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିବ, ସେମାନଙ୍କୁ ମଧ୍ୟ ସେହି ସମାନ ହଷ୍ଟେଲରେ ଆଇସୋଲେସନ‌ରେ ରଖାଯିବ। କୋଭିଡ୍ କଟକଣାକୁ ମାନି ସମସ୍ତ ଆକ୍ରାନ୍ତଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଠିକ୍ ସମୟରେ ଖାଦ୍ୟ ଯୋଗାଇ ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ କଟକର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଏମ‌ସି ପକ୍ଷରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ଗୋଟିଏ ଶିକ୍ଷାନୁଷ୍ଠାନରୁ ୨୫ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଗୋଟିଏ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।