ଜାଡେଜାଙ୍କ ବିଶ୍ୱ ରେକର୍ଡ

ମୋହାଲି,ଏଜେନ୍ସି: ରବିବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଅଲ୍‌ରାଉଣ୍ଡର୍ ଜାଡେଜା ରାଜୁତି ଦେଖିବାକୁ ମିଳିଛି। ପ୍ରଥମେ ଶନିବାର ବ୍ୟାଟିଂରେ ସେ ମାରାଥନ୍ ୧୭୫ ରନ୍‌ର ଇନିଂସ ଖେଳିଥିଲେ ଓ ପରେ ରବିବାର ଶ୍ରୀଲଙ୍କା ୯ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏପରି ସଫଳତା ପାଇବାରେ ସେ ବିଶ୍ୱର ପ୍ରଥମ କ୍ରିକେଟର୍ ହୋଇପାରିଛନ୍ତି। ଏହା ପୂର୍ବରୁ ଶ୍ରୀଲଙ୍କାର ପ୍ରଥମ ଇନିଂସରେ ୫ଟି ୱିକେଟ୍ ନେଇ ଜାଡେଜା ବିଶ୍ୱର ଷଷ୍ଠ କ୍ରିକେଟର୍ ଭାବେ ଗୋଟିଏ ଇନିଂସରେ ୧୫୦ରୁ ଊର୍ଦ୍ଧ୍ୱ ରନ୍ ଓ ୫ ୱିକେଟ୍‌ର ସଫଳତା କ୍ଷେତ୍ରରେ ଷଷ୍ଠ କ୍ରିକେଟର୍ ହୋଇପାରିଛନ୍ତି। ଏହାଛଡ଼ା ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏପରି ସଫଳତା ପାଇବାରେ ସେ ପ୍ରଥମ କ୍ରିକେଟର୍।

ଭାରତର ବିନୁ ମଙ୍କଡ଼ (୧୯୫୫୨ ମସିହା, ୧୮୪ ରନ୍‌, ୫ ୱିକେଟ୍‌)ଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରାରେ ପରବର୍ତ୍ତୀ ସମୟରେ ୱେଷ୍ଟ୍‌ଇଣ୍ଡିଜ୍‌ର ଡେନିସ୍ ଆଟକିନ୍‌ସନ୍ (୧୯୫୫ ମସିହା, ୨୧୯ ରନ୍‌), ଭାରତର ପଲି ଉମ୍ରିଗର୍ (୧୯୬୨ ମସିହା, ୧୭୨ ରନ୍‌), ୱେଷ୍ଟ୍‌ଇଣ୍ଡିଜ୍‌ର ଗ୍ୟାରୀ ସୋବର୍ସ (୧୯୬୬ ମସିହା, ୧୭୪ ରନ୍‌) ଓ ପାକିସ୍ତାନର ମୁସ୍ତାକ୍ ଅହମ୍ମଦ (୧୯୭୩ ମସିହା, ୨୦୧ ରନ୍‌) ଯୋଡ଼ି ହୋଇଥିଲେ। ସେହିପରି ଜାଡେଜା ମଙ୍କଡ଼ ଓ ପଲିଙ୍କ ପରେ ତୃତୀୟ ଭାରତୀୟ ଭାବେ ଏହି ସଫଳତା ପାଇଛନ୍ତି। ଆହୁରି ୬୦ ବର୍ଷ ପରେ ସେ ଏପରି କୃତିତ୍ୱ ଅର୍ଜନ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି।