ଶୁଟିଂ ବିଶ୍ୱ କପ୍‌ରେ ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ଅନ୍ତର୍ଜାତୀୟ ସ୍ତରର ଶୁଟର୍ ତଥା କିଟ୍ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ କାଇରୋରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ବିଶ୍ୱକପ୍‌ରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଅଖିଳ ଶେଓରନ୍‌ଙ୍କ ସହ ଯୋଡ଼ି ହୋଇ ଶ୍ରୀୟଙ୍କା ୫୦ ମିଟର ରାଇଫଲ୍ ୩ ପୋଜିସନ୍ ମିକ୍ସଡ୍ ଟିମ୍ ଇଭେଣ୍ଟ୍‌ରେ ରବିବାର ଭାରତ ପକ୍ଷରୁ ଏହି ପଦକଟି ହାସଲ କରିଛନ୍ତି।

୮ଟି ଟିମ୍ ମଧ୍ୟରୁ ୩ୟ ସ୍ଥାନରେ ଥିବା ଭାରତୀୟ ଯୋଡ଼ି ବ୍ରୋଞ୍ଜ୍ ପଦକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ରେବେକା କୋଏକ୍‌-ଗର୍‌ନଟ୍ ରୁମ୍ପଲର୍ ଯୋଡ଼ିକୁ ବେଶ୍ ସହଜରେ ହରାଇଥିଲା। ଏହି ବ୍ରୋଞ୍ଜ୍ ବିଜୟ ଫଳରେ ଭାରତ ପ୍ରତିଯୋଗିତାରେ ଅଦ୍ୟାବଧି ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟକୁ ମିଶାଇ ସର୍ବମୋଟ ୪ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ରାହି ସର୍ନୋବତ୍‌, ଇଶା ସିଂହ ଓ ରିଦିମ୍ ସାଙ୍ଗ୍‌ୱାନ୍‌ଙ୍କ ଭାରତୀୟ ଟିମ୍ ମହିଳା ୨୫ମି. ପିସ୍ତଲ୍ ଟିମ୍ ଟୁର୍ଣ୍ଣାମେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ପହଞ୍ଚିଛି।

ଶନିବାର ରାତିରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫିକେସନ୍ ଷ୍ଟେଜ୍‌ରେ ଏହି ୩ ଜଣ ୪୫୦ରୁ ୪୪୧ ପଏଣ୍ଟ ସ୍କୋର୍ କରି ପ୍ରଥମରେ ରହିଥିଲେ। ଇଭେଣ୍ଟ୍‌ର ଫାଇନାଲ୍‌ରେ ଭାରତ ସିଙ୍ଗାପୁରକୁ ଭେଟିବ। ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ୍ ପଦକ ଜିତିବାର ସଫଳତା ପାଇଁ କିଟ୍‌-କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।