ବିହାରୀ ଝିଅକୁ ପ୍ରଶଂସା କଲେ ଟ୍ରମ୍ପଙ୍କ ଝିଅ

ନୂଆଦିଲ୍ଲୀ: ଲକଡାଉନରେ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଆଣିଥିବା ଜ୍ୟୋତି କୁମାରୀ ଆତ୍ମବିଶ୍ୱାସ ଓ ସାହସିକତାର ଏକ ନୂଆ ଗାଥା ଲେଖିଛନ୍ତି। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଥିବାବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରି ଜ୍ୟୋତିଙ୍କ ପ୍ରଶଂସା କରିଛନ୍ତି। ଇଭାଙ୍କା ଟ୍ୱିଟ କରି କହିଛନ୍ତି କି, ‘ସହ୍ୟଶକ୍ତି ଓ ପ୍ରେମର ଏହି ବୀରଗାଥା ଭାରତବାସୀ ଓ ସାଇକେଲ ଫେଡେରେସନ ଇଣ୍ଡିଆର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି।’


ଜ୍ୟୋତିଙ୍କ ଏପରି ମନୋବଳକୁ ଭାରତୀୟ ସାଇକେଲ ଫେଡେରେସନ ମଧ୍ୟ ପ୍ରଶଂସା କରିଛି। ନିଜର ସାଇକେଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବା ପାଇଁ ମଧ୍ୟ ସାଇକେଲିଂ ଫେଡେରେସନ ଡାକରା ଦେଇଛି। ଯଦି ସେ ଏହି ଟ୍ରାଏଲରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ରାଜ୍ୟ ସାଇକେଲିଂ ଆକାଡେମୀରେ ତାଲିମ ନେଇପାରିବେ। ଜ୍ୟୋତିଙ୍କ ଦିଲ୍ଲୀ ଗସ୍ତର ସମସ୍ତ ଖର୍ଚ୍ଚ ସାଇକେଲିଂ ଫେଡେରେସନ ବହନ କରିବ। ସାଇକେଲିଂ ଫେଡେରେସନର ଡାକରାକୁ ନେଇ ଜ୍ୟୋତି କହିଛନ୍ତି, ଲକଡାଉନ ସରିବା ପରେ ଦିଲ୍ଲୀ ଯାଇ ଟ୍ରାଏଲ ଦେବାସହ ପାଠପଢ଼ା ଉପରେ ମଧ୍ୟ ଧ୍ୟାନ ଦେବି। କେବଳ ଏତିକି ନୁହେଁ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଜ୍ୟୋତିଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ୧ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ କାଳରେ ସମଗ୍ର ଦେଶରେ ଲକଡାଉନ ଜାରି ରହିଥିବା ଯୋଗୁ ଅସୁସ୍ଥ ପିତାଙ୍କୁ ସାଇକେଲରେ ବସାଇ ଜ୍ୟୋତି ୧୨ଶହ କିମି ଅତିକ୍ରମ କରିିଥିଲେ। ମେ’ ୧୦ ତାରିଖରେ ଗୁରୁଗ୍ରାମରୁ ବାହାରିଥିବା ଜ୍ୟୋତି ୧୬ ତାରିଖରେ ଦରଭଙ୍ଗା ପହଂଚିଥିଲେ। ଜ୍ୟୋତିଙ୍କ କହିବା ମୁତାବକ, ରାତିରେ ସେ କୌଣସି ଏକ ପେଟ୍ରୋଲ ପମ୍ପରେ ରହି ଯାଉଥିଲେ ଏବଂ ସକାଳେ ପୁଣିଥରେ ଯାତ୍ରା ଆରମ୍ଭ କରୁଥିଲେ। ଅନେକ କଠିନ ପରିସ୍ଥିତି ସତ୍ତେ୍ୱ ଜ୍ୟୋତି ଏମିତି କରି ଦେଖାଇଛନ୍ତି ଯାହାକୁ ଭାବିବା ମଧ୍ୟ ଜଣଙ୍କ ପକ୍ଷେ କଷ୍ଟକର।