ବଲାଙ୍ଗିର,ଏନ୍ଏନ୍ଏସ୍: ଗତ ୮ ମଇରେ ସ୍ଥାନୀୟ କୁସମେଲ ପୋଖରୀରେ ଉକ୍ତ ଗ୍ରମର ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା। ପୁଲିସ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ ହୋଇଥାଇପାରେ ବୋଲି କହିଥିଲା। କିନ୍ତୁ ଆଜି ମୃତକଙ୍କ ପରିବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହା ଅପମୃତ୍ୟୁ ନୁହଁ, ବରଂ ଆମ ପୁଅକୁ ହତ୍ୟା କରାଯାଇଛି। ପ୍ରଥମ ଦିନରୁ ହିଁ ଏବିଷୟରେ ପରିବାର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ ତଦନ୍ତ ପ୍ରକ୍ରିୟାରେ ଟାଳଟୁଳ ନିତି ଅବଲମ୍ବନ କରିବା ସହ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ମୃତକଙ୍କ ବାପା ସନାତନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ସାମ୍ବାଦିକମାନଙ୍କୁ ସେ ଆହୁରି କହିଛନ୍ତି ଯେ, ଗ୍ରାମର ପ୍ରଦୀପ ସେଠ ନାମକ ବ୍ୟକ୍ତିଙ୍କ ଝିଅ ସହିତ ମୃତ ଦିପୁନ ସେଠଙ୍କ ପ୍ରେମ ସମ୍ପର୍କ ଥିଲା। ଏହି ସମ୍ପର୍କ ବିଷୟରେ ପ୍ରଦୀପ ଜାଣିବା ପରେ ସେ ଦୀପୁନଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହା ପରେ ଦୀପୁନର ମୃତ ଦେହ ଗାଁ ପୋଖରୀରୁ ମିଳିଥିବା ବେଳେ ତାଙ୍କ ମୁହଁ କଳା ପଡିଯାଇଥିବା ଓ ଛାତିରେ କ୍ଷତ ରହିଥିଲା। ଯାହା ତାଙ୍କୁ ନିର୍ଯ୍ୟାତନା ଦେବା ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ କରୁଛି। ଆମ ପୁଅ ଆତ୍ମହତ୍ୟା କିମ୍ବା ପୋଖରୀରେ ବୁଡି ମରି ନାହିଁ, ବରଂ ପ୍ରେମ ସମ୍ପର୍କକୁ ନେଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିସହିତ ଦୀପୁନଙ୍କ ମୋବାଇଲରୁ ମିଳିଥିବା ଦୀପୁନ ଓ ତାଙ୍କ ପ୍ରେମିକାଙ୍କ ଅନ୍ତରଙ୍ଗ ଫଟୋ ଏହା ସ୍ପଷ୍ଟ କରୁଛି ବୋଲି କହିଛନ୍ତି। ତେବେ ଫାଣ୍ଡି ଓ ସଦର ଥାନା ଅଧିକାରୀଙ୍କ ଅପାରଗତା ଉପରେ ସେମାନେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକଙ୍କୁ ପ୍ରକାଶ କରିଛନ୍ତି।