୬ ବର୍ଷରେ ପ୍ରଥମ ଥର ଚିନି ରପ୍ତାନି ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦରବୃଦ୍ଧି ଏ ଅଲଗା ସ୍ତରରେ ପହଞ୍ଚି ସାରିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ରୋକ ଳଗାଯାଇଥିବା ବେଳେ ବର୍ତ୍ତମାନ ଚିନି ରପ୍ତାନି ଉପରେ ରୋକ୍ ଲଗାଯାଇଛି। ଘରୋଇ ବଜାରରେ ଚିନିର ରେଟ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଭାରତ ୧୦ ମିଲିୟନ୍ ଟନ୍ ଚିନି ରପ୍ତାନୀର ଲକ୍ଷ୍ୟ ରଖିଥିଲା।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଭାରତ ସହଜରେ ୧୦ ମିଲିୟନ୍ ଟନ୍ ରପ୍ତାନି କରିବ। ମାତ୍ର ଘରୋଇ ବଜାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ରପ୍ତାନୀ ଉପରେ ରୋକ୍ ଲଗାଇଛି। ଭାରତ ବିଶ୍ୱର ସର୍ବବୃହତ ଚିନି ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ବ୍ରାଜିଲ ପରେ ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ ଦେଶର ମାନ୍ୟତା ହାସଲ କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ପରେ ଏହାର ପ୍ରଭାବ ଦଲାଲ ଷ୍ଟ୍ରିଟରେ ଦେଖିବାକୁ ମିଳିଛି। ଚିନିର ଅଂଶଧନ ମୂଲ୍ୟରେ ପ୍ରାୟ ୫% ହ୍ରାସ ଘଟିଛି।