ସମୁଦ୍ରରେ ବୁଡି ଆଇଟିଆଇ ଛାତ୍ର ମୃତ

କୋଣାର୍କ,ଏନଏନଏସ: ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନ ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ଢେଉ ମାଡରେ ଭାସିଯାଇ ନିମାପଡା ଶୈଳବାଳା ଆଇଟିଆଇ କଲେଜର ଛାତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବର ନେବାରେ ଜଣାଯାଏ ଯେ ନିଆଳି ଥାନା ଅଧୀନ କପାସି କୋରକରା ଗ୍ରାମର ସୈାରଜିତ ରାଉତ ଓରଫ ପିଙ୍କୁନ (୧୮) ନିମାପଡା ସ୍ଥିତ ଶୈଳବାଳା ଆଇଟିଆଇ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ।

ରବିବାର ଛୁଟିଦିନ ଅବସରରେ ୯ଜଣ ସାଙ୍ଗଙ୍କ ସହ ସେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିସାରି ଚନ୍ଦ୍ରଭାଗା ବୁଲିବାକୁ ଯାଇଥିଲେ। ସେଠାରେ ସୈାରଜିତ ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ରକୁ ଭିତରକୁ ଭାସିଯାଇଥିଲେ। ଚନ୍ଦ୍ରଭାଗା ବଜାର କମିଟି ଓ ତାଙ୍କ ସାଙ୍ଗପିଲା ମାନେ ତାଙ୍କୁ ପାଣିରୁ ଉଦ୍ଧାର କରି କୋଣାର୍କ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଏଏସ୍ଆଇ ବନବିହାରି ଦାଶ ପ୍ରକାଶ କରିଛନ୍ତି।

ଚନ୍ଦ୍ରଭାଗା ସମୁଦ୍ର କୂଳରେ ଲାଇଫ ଗାର୍ଡ ନଥିବାରୁ ବାରମ୍ବାର ସମୁଦ୍ରରେ ବୁଡି ପର୍ଯ୍ୟଟକମାନେ ମୃତ୍ୟବରଣ କରୁଥିବାର ନଜିର ରହିଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଠିରୁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ନିୟମିତ ଲାଇଫ ଗାର୍ଡ ମୁତୟନ ପାଇଁ ଚନ୍ଦ୍ରଭାଗା ବଜାର କମିଟର ସଭାପତି ଭାସ୍କର ଚନ୍ଦ୍ର ବେହେରା ଦାବି କରିଛନ୍ତି।