ବିକାଶ ଗାଲରେ ଚାପୁଡା: ଜନ୍ମ ଠାରୁ ବଳିଗଲା ଜନନୀ ଯନ୍ତ୍ରଣା

ରାୟଗଡା,ଏନ୍ଏନ୍ଏସ୍: ବିକାଶ ଗାଲରେ ଚାପୁଡା। ୩ କିମି ଚାଲିଲେ। ନଦୀ ମଧ୍ୟରେ ଆସିଲେ । ଆଉ ଶେଷରେ ମେଡିକାଲରେ ପହଞ୍ଚି ପ୍ରସବ କଲେ କନ୍ୟା ସନ୍ତାନ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏହା ଏକ ନଗ୍ନ ଉଦାହରଣ । କେବଳ ସ୍ୱାସ୍ଥ୍ୟ ସେବା ନୁହେଁ ଗମନାଗମନ ମଧ୍ୟ ଅନୁରୂପ। ଫଳରେ ରାସ୍ତା ନ ଥିବା ଗ୍ରାମକୁ ପଂହଚି ପାରୁନି ସ୍ୱାସ୍ଥ୍ୟ ସେବା। ଶନିବାର ଦିନ ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଗର୍ଭ ଯନ୍ତ୍ରଣାରେ ଛଟପଟ ଜଣେ ଗର୍ଭବତୀ ମହିଳା ଦୀର୍ଘ ୩ କିଲୋମିଟର ଦୂର ପାହାଡିଆ ରାସ୍ତା ଦେଇ ଚାଲି ଚାଲି ଆସିବା ପରେ ଝଂଜାବତୀ ନଦୀର ଅଂଟାଏ ପାଣିରେ ପଶି ପାର ହେବା ଥିଲା ବିକଶିତ ଜିଲ୍ଲାର ଚିତ୍ର।

ଝଞ୍ଜାବତୀ ନଇ ପାରପରେ ଦୁଇ କିଲୋମିଟର ଅଟୋଯୋଗେ ଆଶାଦିଦି ଓ ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଚିକିତ୍ସାଳୟରେ ଭର୍ତି ହେବା ପରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଛନ୍ତି। ପ୍ରସୂତି ମହିଳା ଜଣଙ୍କ ହେଲେ ସରାପାଡୁ ଗ୍ରାମର କାମେଶ୍ୱର ରାଓ ହୁଇକାଙ୍କ ସ୍ତ୍ରୀ ସୁନୁ ହୁଇକା(୩୦)। ବର୍ତ୍ତମାନ ମା ଓ ଶିଶୁ ଦୁହେଁ ସୁସ୍ଥରେ ଥିବା ଚିକିତ୍ସାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣାଟି ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ସଦର ବ୍ଳକର ତାଡମା ଗ୍ରାମ ପଂଚାୟତ ଅନ୍ତର୍ଗତ ସରାପାଡୁ ଗାଁରେ। ୧୨ଟି ଆଦିବାସୀ ପରିବାର ରହୁଛନ୍ତି ଝଞ୍ଜାବତୀ ନଇ ଆରପଟ ସରାପାଡ଼ୁ ଗାଁରେ।

ତେବେ ଏହି ଗ୍ରାମକୁ ଯିବାକୁ ହେଲେ ରାୟଗଡ ସହରର ଉପକଣ୍ଠ ମା’ ମଝିଘରିଆଣୀ ମନ୍ଦିର ବ୍ରିଜ ତଳ ବାଟ ଦେଇ ଦୀର୍ଘ ୭ କିଲୋମିଟର ବାଟ ପାହାଡିଆ ପାଦଚଲା ରାସ୍ତା ନଚେତ କେନ୍ଦ୍ରୀୟ ବିଦ୍ୟାଳୟ ବାଟ ଦେଇ ଝଂଜାବତୀ ନଦୀ ପାର ହୋଇ ୩ କିଲୋମିଟର ପାହାଡିଆ ପାଦଚଲା ରାସ୍ତା ଦେଇ ଯିବାକୁ ପଡେ। ଏହି ଗ୍ରାମକୁ ଆଜିପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ଖଣ୍ଡିଏ ନ ଥିବାରୁ ଗ୍ରାମବାସୀମାନେ ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳ ଯୋଜନା ତାଙ୍କ ପାଖରେ ଅପହଞ୍ଚ ହୋଇପଡ଼ିଛି।

ଏହି ୧୨ ପରିବାରଙ୍କ ପ୍ରତି ଏଯାଏ ବ୍ଳକ କିମ୍ବା ଜିଲ୍ଳା ପ୍ରଶାସନ ନଜର ପଡ଼ିନାହିଁ। ଫଳରେ ବର୍ଷ ତମାମ ଏହି ଗ୍ରାମବାସୀମାନେ ଝଞ୍ଜାବତୀ ନଦୀ ଭରସାରେ ଯାତାୟାତ କରିଥାନ୍ତି । ସରାପାଡୁ ଗ୍ରାମର ଗର୍ଭବତୀ ମହିଳା ସୁନୁ ହୁଇକାଙ୍କୁ ଶନିବାର ସକାଳେ ଗର୍ଭ ଯନ୍ତ୍ରଣା ହେବା ପରେ ଗ୍ରାମର କିଛି ଲୋକେ ଆଶା ପଦ୍ମାବତୀ ସେନାପତି ଓ ଅଙ୍ଗନୱାଡି କର୍ମୀ ଜୟନ୍ତି ସେନାପତିଙ୍କୁ ଖବଞ୍ଜର ଦେଇଥିଲେ। ତେବେ ଝଂଜାବତୀ ନଦୀରେ ଛାତିଏ ପାଣି ଥିବାରୁ ଉପାୟ ନ ପାଇ ଆଶାଦିଦି ଓ ଅଙ୍ଗନୱାଡି କର୍ମୀ ଦୁହେଁ ଅଟୋଟିଏ ନେଇ ଅପେକ୍ଷା କରି ରହିଥିଲେ ନଦୀ ଆରପଟେ।

ଦୀର୍ଘ ୩କିଲୋମଟିର ବାଟ ଚାଲି ଚାଲି ଆସିବା ପରେ ଗର୍ଭବତୀ ମହିଳା ସୁନୁ ଝଂଜାବତୀ ନଦୀର ଛାତିଏ ପାଣି ଭିତରେ ବଡ କଷ୍ଟରେ ପାର ହୋଇ ଆସିଥିଲେ। ନଦୀପଠାରୁ ରାସ୍ତା ଉପରକୁ ସୁନୁ ଆସିବା ପରେ ଆଶାଦିଦି ଓ ଅଙ୍ଗନୱାଡି କର୍ମୀ ଏକ ଅଟୋରିକ୍ସା ସାହାର୍ଯ୍ୟରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତୀକରିଥିଲେ। ସେଠାରେ ପଂହଚିବା ପରେ ସୁନୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଡିସେମ୍ବର ୨ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ସୁୁନୁ ରାୟଗଡ ସହରର ଗୈାତମ ନଗରସ୍ଥିତ ମା’ଗୃହରେ ରହିଥିବା ବେଳେ ଗର୍ଭ ଯନ୍ତ୍ରଣା ନବାରୁ ସେ ପୁଣି ଗାଁକୁ ଫେରିଯାଇଥିଲେ।

ସେହିପରି ପୂର୍ବରୁ ମଧ୍ୟ ଏହି ଗ୍ରାମର ହାକ କାଡ୍ରାକା ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ରାତି ୧୦ଟା ସମୟରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ମଧ୍ୟ ଚାଲିଚାଲି ଆଣି ରାସ୍ତା ପାର କରାଯାଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ନେଇ ଆଶା ଦିଦି ପଦ୍ମା ପ୍ରକାଶ କରିଛନ୍ତି। ଏପରିକି ବାରମ୍ବାରଗୁରୁତର ରୋଗି କିମ୍ବା ଗର୍ଭବତୀ ମହିଳାମାନେ ଦୀର୍ଘ ୩ କିଲୋମିଟର ଦୂର ବାଟ ଚାଲି ଚାଲି ଆସି ନଦୀ ପାର ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଉଥିଲେ ସୁଧା ଏଦଗରେ ପ୍ରଶାସନିକ ଅଧିକାରିଙ୍କ ନଜର ପଡ଼ୁନାହିଁ।

ଜିଲ୍ଳା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକଙ୍କୁ ଏନେଇ ପଚାରିବାରୁ ରାସ୍ତାଘାଟ ଥିବା ଗାଁରେ ସ୍ୱାସ୍ଥ୍ୟ ସେବା ପଂହଚି ପାରୁଥିବା ବେଳେ ରାସ୍ତାଘାଟ ନ ଥିବା ଗ୍ରାମକୁ ଯଥା ସମ୍ଭବ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଭାଗ କାର୍ଯ୍ୟ କରୁଛି ବୋଲି କହିଛନ୍ତି । ଘଟଣାପରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମେଡ଼ିକାଲ ପହଞ୍ଚି ମା ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ତେବେ ତୁରନ୍ତ ସେରାପାଡ଼ୁକୁ ରାସ୍ତା ନିର୍ମାଣପାଇଁ ପିଡ଼ି ଡିଆରଡିଏ, ରାୟଗଡ଼ା ବିଡିଓ , ପିଏ ଆଇଟିଡିଏଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।