କାଲି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ପ୍ରସ୍ତୁତି ଶେଷ, ମୁକାବିଲାକୁ ଅପେକ୍ଷା

କଟକ,ଏନ୍ଏନ୍ଏସ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦୁଇଟି ମୁକାବିଲା ମଧ୍ୟରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିବାରୁ ବାରବାଟୀ ମ୍ୟାଚର ଗୁରୁତ୍ୱ ଢେର ବଢିଯାଇଛି। ଏଠାରେ ଯେଉଁ ଦଳ ମ୍ୟାଚ୍ ଜିତିବ ସେହି ଦଳ ସିରିଜ୍ କବଜା କରିବ। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବଂ କାଇରନ୍ ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଦଳ ବେଶ ଶକ୍ତିଶାଳୀ ହୋଇଥିବାରୁ ଏହି ମୁକାବିଲା ଜୋରଦାର ହେବ ବୋଲି ଆଶା କରିବା ସ୍ୱାଭାବିକ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ମ୍ୟାଚ୍ ଆୟୋଜିତ ହେବ।

ଅନ୍ୟପକ୍ଷରେ ଫାନି ବାତ୍ୟା ଦ୍ୱାରା ବାରବାଟୀ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହେବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଲାଗି ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବା ଏକ ବଡ ଚାଲେଞ୍ଜ ଥିଲା। ଏପରିକି ଓସିଏର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଏହି କାମ ଠିକ୍ ସମୟରେ ପୂରଣ କରିବା ନେଇ ଆଶଙ୍କାରେ ରହିଥିଲେ। ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କ ଟିମଙ୍କ ଚେଷ୍ଟା ବଳରେ ମ୍ୟାଚ୍ ଆୟୋଜନ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ଅନେକ କାମ ବାକି ରହିଯାଇଛି। ଅସୁରକ୍ଷିତ କାରଣରୁ ଗ୍ୟାଲେରୀ ନଂ-୭ରେ ଖେଳ ଦେଖିବାକୁ ବାସନ୍ଦ କରାଯାଇଛି।

ରେକର୍ଡ ପୃଷ୍ଠାକୁ ଦେଖିଲେ ବାରବାଟୀରେ ୧୮ଟି ମ୍ୟାଚ୍ ଆୟୋଜିତ ହୋଇଥିଲାବେଳେ ଏହା ମଧ୍ୟରୁ ଭାରତ ୧୬ଟିରେ ଖେଳି ୧୨ଟିରେ ଜିତିଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ୩ଟି ଯାକ ମୁକାବିଲାରେ ଭାରତ ବିଜୟୀ ହୋଇଛି। କିନ୍ତୁ ଶେଷ ମୁକାବିଲାରେ ଭାରତ ଅଳ୍ପକେ ବିଜୟୀ ହୋଇଥିଲା। ଏଠାରେ ଭାରତ ଖେଳିଥିବା ଶେଷ ୬ଟି ମ୍ୟାଚରେ ବିଜୟୀ ହୋଇଥିଲାବେଳେ ଏହି ଧାରା ବଜାୟ ରଖିବା ସହ ସିରିଜ୍ କବଜା କରିବ ବୋଲି କୋହଲି ବାହିନୀ ଆଶା ରଖିଛି।

ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟାର, ଋଷଭ ପନ୍ତ (ୱିକେଟ୍ କିପର), ମନୀଷ ପାଣ୍ଡେ, ମୟଙ୍କ ଅଗ୍ରୱାଲ, କେଦାର ଯାଦବ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ନଭଦୀପ ସୈନୀ ଓ ମହମ୍ମଦ ସାମି। କୋଚ୍: ରବି ଶାସ୍ତ୍ରୀ।
ୱେଷ୍ଟଇଣ୍ଡିଜ: ବ୍ରାଣ୍ଡନ୍ କିଙ୍ଗ, ଶିମ୍ରନ୍ ହେଟମେୟର, ଏଭିନ୍ ଲୁଇସ୍, ସୁନୀଲ ଅମ୍ବ୍ରିସ୍, ସାଇ ହୋପ (ୱିକେଟ୍ କିପର), ନିକୋଲସ୍ ପୁରନ୍, କାଇରନ୍ ପୋଲାର୍ଡ (ଅଧିନାୟକ), ଖାରି ପିଏରେ, ଜେସନ୍ ହୋଲ୍ଡର, ରୋଷ୍ଟନ୍ ଚେଜ୍, ଶେଲଡନ୍ କୋଟ୍ରେଲ, ହେଡେନ୍ ୱାଲ୍ସ, କୀମୋ ପଲ୍ ଓ ଅଲଜରୀ ଯୋଶେଫ। କୋଚ୍: ଫିଲ ସିମନ୍ସ।
ଖେଳ ସମୟ: ଅପରାହ୍ଣ ୧.୩୦
ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ, ଡିଡି