ନୂଆଦିଲ୍ଲୀ,ଏଜେନ୍ସି: ଚଳିତମାସ ୧୦ ସୁଦ୍ଧା କୋଭିଡ୍ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ ବି.ଭି.ନାଗରତ୍ନାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଏହି ପ୍ରସଙ୍ଗରେ ଆଗତ ଏକାଧିକ ପିଟିସନ୍ର ଶୁଣାଣି କରି ସୁପ୍ରିମକୋର୍ଟ ଚଳିତବର୍ଷ ଅକ୍ଟୋବର ୪ରେ ଏକ ରାୟ ଦେଇଥିଲେ। ତଦନୁଯାୟୀ ପ୍ରତ୍ୟେକ କୋଭିଡ୍ ମୃତକଙ୍କ ପରିବାରକୁ ୩୦ ଦିନ ମଧ୍ୟରେ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାୟରେ କୁହାଯାଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ୱେ କେତେକ ରାଜ୍ୟ ସରକାର ଏଥିରେ ଖିଲାପ କରିଥିବାରୁ ସୁପ୍ରିମକୋର୍ଟ କ୍ଷୋଭପ୍ରକାଶ କରିଛନ୍ତି।
ସଚିନ ପାଟିଲ ନାମକ ଗୁଜରାଟର ଜଣେ ଆଇନଜୀବୀ ଏହାକୁ ଆଧାର କରି ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାଏର କରିଥିଲେ। ନଭେମ୍ବର ୨୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଗୋଆ, ହରିୟାଣା, ଜମ୍ମୁ-କଶ୍ମୀର, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗରେ ବହୁତ କମ ଲୋକଙ୍କୁ ଏଭଳି କ୍ଷତିପୂରଣ ମିଳିଥିବା ଜଣାପଡିଛି। ମହାରାଷ୍ଟ୍ରରେ ସର୍ବାଧିକ ୧,୪୫,୦୨୫ ଜଣ କୋଭିଡ୍ରେ ପ୍ରାଣ ହରାଇଥିବାବେଳେ ସେଠାରେ କେବଳ ୩୭,୦୦୦ ପରିବାର କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି। ତେବେ ସେଠାରେ କାହାରିକୁ କ୍ଷତିପୂରଣ ଏପର୍ଯ୍ୟନ୍ତ ମିଳିନାହିଁ। ସେହିପରି ପଶ୍ଚିମବଙ୍ଗରେ ୧୯,୦୦୦ରୁ ଊର୍ଦ୍ଧ୍ୱ କୋଭିଡ୍ ମୃତ୍ୟୁ ଘଟିଥିବାବେଳେ ମାତ୍ର ୧୦୦ ଜଣଙ୍କୁ କ୍ଷତିପୂରଣ ମିଳିଛି।