ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର କୋଷାଗୁମୁଡ଼ା ଓ ଝରିଗାଁ ବ୍ଲକ୍ ସମେତ ବିଭିନ୍ନ ବ୍ଲକରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାବେନ୍ଦ୍ର ନାୟକଙ୍କ ନେତୃତ୍ୱରେ କୋଷାଗୁମୁଡ଼ାର ଚଉଁରିଆ ମନ୍ଦିରରୁ ବିଇଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଶତାଧିକ ଶିକ୍ଷକ ଆସି ବିଇଓ ସୁବାସ ଚନ୍ଦ୍ର ରାୟଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସେହିପରି ଝରିଗାଁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରେମଦାସ ପନକାଙ୍କ ଆହ୍ୱାନକ୍ରମେ ଝରିଗାଁ ବ୍ଲକର କାର୍ଯ୍ୟରତ ସମସ୍ତ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମେ ଝରିଗାଁ ହନୁମାନ ମନ୍ଦିର ଛକ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରା କରି ବିଭନ୍ନ ସ୍ଲୋଗାନ ଦେଇ ଝରିଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଏକ ପ୍ରତିବାଦ ସଭା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବି ନେଇ ଏକ ଦାବିପତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦଶରଥ ଗଣ୍ଡଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ରରେ ଠିକା ନିଯୁକ୍ତି ଉଚ୍ଛେଦ ସହ ୬ ବର୍ଷ ଚାକିରିର ବରିଷ୍ଠତା ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଚଳନ ଭଳି ଦାବି ଉଲ୍ଲେଖ କରାଯାଇଥିଲା ।