ଜାତିଆଣ ଶବ୍ଦକୁ ନେଇ ଉତ୍ତେଜନା, ବାଦ ପଡ଼ିଲା ପିଡିଏସ ଚାଉଳ ବଣ୍ଟନ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ନାଉଲିପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜାତିଆଣ ଶବ୍ଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ରିପୋର୍ଟ ମୁତାବକ, ସରକାରଙ୍କ ପକ୍ଷରୁ ଅନୁପମା ଗଡ଼ନାୟକଙ୍କୁ ଯୋଗାଣ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବାରୁ ସେ ଉକ୍ତ ପଞ୍ଚାୟତରେ ପିଡିଏସ ଚାଉଳ ଓ କିରୋସିନି ବଣ୍ଟନ କରୁଥିଲେ। ଆଜିକୁ ୬ ମାସ ପୂର୍ବରୁ ପଞ୍ଚାୟତ ବୈଠକରେ ସରପଞ୍ଚ ଓ ଯୋଗାଣ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ଦିନଠାରୁ ସରପଞ୍ଚ ଅମର ବଲ୍ଲଭ ପ୍ରଧାନ ଯୋଗାଣ ଅଧିକାରୀଙ୍କ ବିରୋଧରେ ବ୍ଲକ ଯୋଗାଣ ଅଧିକାରୀ ଓ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହିତ ତାଙ୍କୁ ଚାଉଳ ବଣ୍ଟନ ଦାୟିତ୍ୱ ଦେଇନଥିଲେ। ସେହି ଦିନଠାରୁ ଅନିତା ଦେହୁରୀ ନାମକ ଅନ୍ୟ ଜଣେ ମହିଳାଙ୍କୁ ପିଡିଏସ ଚାଉଳ ଓ କିରୋସିନି ବାଣ୍ଟିବାକୁ ଦିଆଯାଇଥିଲ।

ଏହି କ୍ରମରେ ଆଜି ଭିତରପଦ ଗ୍ରାମର ହିତାଧିକାରୀମାନେ ଚାଉଳ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅନିତା ଦେହୁରୀ ଜାତିଆଣ ଶବ୍ଦ ପ୍ରୟୋଗ କରିବାରୁ ହିତାଧିକାରୀମାନେ ଉତ୍ତେଜିତ ହୋଇ ପାଟିତୁଣ୍ଡ ଆରମ୍ଭ କରିଥିଲେ। ପରେ ସରପଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିବାରୁ ହିତାଧିକାରୀମାନେ ବିରକ୍ତି ପ୍ରକାଶ କରି ଅନିତା ଦେହୁରୀଙ୍କୁ କାର୍ଯ୍ୟାଳୟରୁ ବାହାର କରାଯାଉ ବୋଲି ଦାବୀ କରିଥିଲେ। ଏଥିସହିତ ଯୋଗାଣ ଅଧିକାରୀ ଅନୁପମା ଗଡ଼ନାୟକଙ୍କୁ ଅବସ୍ଥାପିତ କରାଯାଉ ବୋଲି ମଧ୍ୟ ଦାବୀ କରିଥିଲେ। ଏ ବାବଦରେ ସରପଞ୍ଚଙ୍କୁ ପଚାରିବାରୁ ଅନିତା ଦେହୁରୀ ଜାତିଆଣ ଶବ୍ଦ ପ୍ରୟୋଗ କରିନାହାନ୍ତି ଏବଂ ଲୋକମାନେ ରାଜନୀତି କରି ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି କହିଥିଲେ। ଅନ୍ୟପଟେ ଯୋଗାଣ ଅଧିକାରୀ ଅନୁପମାଙ୍କୁ କାହିଁକି ଦାୟିତ୍ୱ ହସ୍ତାନ୍ତର କରାଯାଉ ନାହିଁ ବୋଲି ପ୍ରଶ୍ନ କରିବାରୁ ଏ ବାବଦରେ ବିଡିଓ ଓ ବ୍ଲକ ଯୋଗାଣ ଅଧିକାରୀ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ ବୋଲି ସରପଞ୍ଚ ଉତ୍ତର ଦେଇଥିଲେ। ଜାତିଆଣ ଶବ୍ଦ ପାଇଁ ଉତ୍ତେଜନା ତୀବ୍ରତର ହେବାରୁ ରିଅ।।ମାଳ ପୁଲିସ ଘଟଣାସ୍ଥଳରେ ପହଂଚି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରିଥିଲା।