ଆଇପିଏଲ୍‌-୨୦୨୨: ଲକ୍ଷ୍ନୌ ବିପକ୍ଷରେ ରାଜସ୍ଥାନର ଦମଦାର ବିଜୟ

ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲର ୨୦ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଶେଷ ଓଭର ପର୍ଯ୍ୟନ୍ତ ସୁପରଜାଏଣ୍ଟସ ନିକଟରେ ଜିତିବାର ସୁଯୋଗ ଥିଲା ହେଲେ କୁଳଦୀପ ସେନଙ୍କ ଚମତ୍କାର ବୋଲିଂ ଲକ୍ଷ୍ନୌ ହାତରୁ ମ୍ୟାଚ ଛଡାଇ ଆଣିଥିଲେ। ପ୍ରଥମେ ବ୍ୟାଟଂ କରି ରାଜସ୍ଥାନ ୬ ୱିକେଟ ହରାଇ ୧୬୫ ରନ କରିଥିଲା। ଏହାର ଜବାବରେ ଲକ୍ଷ୍ନୌ ୮ ୱିକେଟ ହରାଇ ୧୬୨ ରନ କରିବାରେ ସକ୍ଷମ ହୋଇଥିଲା।

ରାଜସ୍ଥାନ ପକ୍ଷରୁ ଷ୍ଟାର ବ୍ୟାଟ୍‌ର ସିମ୍ରନ ହେଟମେୟର ସର୍ବାଧିକ ୫୯ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ୩୬ ବଲ୍‌ରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ୫୯ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ କାରବିୟନ ପାୱରହିଟର। ସେହପରି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୨୩ ବଲ୍‌ରୁ ଦ୍ରୁତ ୨୮ ରନ୍‌ର ଇଂନିସ ଖେଳିଥିଲେ।

ଓପନର ଜସ ବଟଲର ମାତ୍ର ୧୩ ରନ୍‌ରେ ଆଉଟ୍‌ ହେବାପରେ ଅନ୍ୟତମ ଯୁବ ଓପନର ଦେବଦତ୍ତ ପାଦିକ୍କଲ ମଧ୍ୟ ୨୯ ରନ୍‌ କରି ପାଭିଲିୟନ ଫେରିଥିଲେ। କ୍ୟାପଟେନ ସଞ୍ଜୁ ସାମସନ ପୁଣି ଫେର୍‌ ମାରିଥିଲେ। ଅନ୍ୟପଟେ ସୁପରଜାଏଣ୍ଟ୍‌ସ ପକ୍ଷରୁ କେ ଗୌତମ ଓ ଜେସନ ହୋଲ୍ଡର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ଷ୍ଟାର ବୋଲର ଅଭେଶ ଖାନଙ୍କୁ ଗୋଟିଏ ସଫଳତା ମିଳିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଥିଲା। ଫଳରେ ଲକ୍ଷ୍ନୌ ସାମ୍ନାରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

୧୬୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟସ। ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟରେ ପଡିଥିଲା ଦଳ। ଟ୍ରେଣ୍ଟ ବୋଲ୍ଡ ପ୍ରଥମ ଓଭରେ ୧ଟି ୱିକେଟ ନେଇଥିଲେ। ଲୋକଶ ରାହୁଲ ଓ କ୍ରିଷ୍ଣାପା ବୋଲ୍ଡଙ୍କ ଶିକାର ହୋଇଥିଲେ। ପରେ ପରେ ଜନସନ ହୋଲ୍ଡର ୮ ରନ୍ କରି ପାଭିଲିୟନ ଫେରିଥିଲେ। ୧୪ ରନରେ ଲକ୍ଷ୍ନୌର ୩ଟି ୱିକେଟ ପତନ ହୋଇଥିଲା। ଡି କକ୍ ଓ ଦୀପକ ହୁଡା ସ୍ଥିତି ସମ୍ଭାଳି ଖେଳିଥିଲେ। ହୁଡା ୨୫ ରନ କରି ଆଉଟ ହୋଇଥିଲେ। ଆୟୁଷ ବଦୋନି ଏହି ମ୍ୟାଚରେ ନିରାଶ କରିଥିଲେ। ଡି କକ ଧୌର୍ଯ୍ୟ ନ ହାରି ଖେଳିଥିଲେ। ଦଳୀୟ ସ୍କୋରକୁ ୧୦୧ରେ ପହଞ୍ଚାଇଥିଲେ। 16 ଓଭରରେ ୟୁଝବେନ୍ଦ୍ର ଚହର ଉଭୟ ଡି କକ୍‌ଙ୍କୁ ୩୯ ରନ୍‌ ଓ କୃନାଲ ପାଣ୍ଡ୍ୟାଙ୍କୁ ୨୨ ରନ୍‌ରେ ଆଉଟ କରିଥିଲେ। ୧୦୨ ରନରେ ଦଳ ୭ଟି ୱିକେଟ ହରାଇଥିଲା।

ସୁପରଜାଏଣ୍ଟସ ଜିତିବା ଆଶା ହରାଇ ନଥିଲା। ମାର୍କସ ଦଳକୁ ଜିତାଇବା ପାଇଁ ସବୁ ଶକ୍ତି ଖଟାଇଥିଲେ। ଶେଷ ଓଭରରେ ବିଜୟ ପାଇଁ ଦଳକୁ ୧୫ ରନ ଦରକାର ଥିଲା। କୁଲଦୀପ ସେନ ଶେଷ ଓଭର ବୋଲିଂ କରି ବାଜି ପଲଟାଇ ଦେଇଥିଲେ। ଫଳରେ ରୟାଲ୍ସ ୩ ରନରେ ବିଜୟ ହାସଲ ସହ ପଏଣ୍ଟ ଟେବୁଲ ଟପକୁ ଫେରିଛି। ରାଜସ୍ଥାନ ପକ୍ଷରୁ ଚହଲ ୪ଟି ୱିକେଟ ନେଇଛନ୍ତି।