ଆଇପିଏଲ୍‌-୨୦୨୩: ହାରିଲା ହାଇଦ୍ରାବାଦ, ୭ ୱିକେଟରେ ଜିତିଲା ଚେନ୍ନାଇ

ଚେନ୍ନାଇ,ଏଜେନ୍ସି: ଆଇପିଏଲ୍‌ର ୧୬ ତମ ସିଜିନରେ ଆଜି ୨୯ ତମ ମ୍ୟାଚ ଖେଳା ଯାଇଛି । ଆଜି ଖେଳା ଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୭ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୩୪ ରନ ହିଁ କରି ପାରିଥିଲା । ଜବାବରେ ଚେନ୍ନାଇ ୩ ୱିକେଟ ହରାଇ ମାତ୍ର ୧୮.୪ ଓଭରରେ ବିଜୟ ହାସଲ କରିଛି । ରବୀନ୍ଦ୍ର ଜାଡେଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ପ୍ରଥମେ ହାଇଦ୍ରାବାଦକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଚେନ୍ନାଇ । ପ୍ରଥମ ୱିକେଟ ପାଇଁ ହାରି ବୃକ୍ ଓ ଅଭିଶେକ ଶର୍ମାଙ୍କ ମଧ୍ୟରେ ୩୫ ରନ ଭାଗିଦାରୀ ହୋଇଥିଲା। ଏହାପରେ ହାରି ବୃକଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ଆକାଶ ସିଂହ। ତେବେ ଅଭିଶେକ ଶର୍ମା ଗୋଟିଏ ପଟେ ବଡ଼ ସଟ ଖେଳିବା ଜାରି ରଖିଥିଲେ। ତେବେ ସେ ବଡ଼ ସ୍କୋର କରି ପାରିନଥିଲେ । ସେ ୨୬ଟି ବଲରୁ ୩୪ ରନ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ପାଲଟିଥିଲେ। ଏହାପରେ ରାହୁଲ ତ୍ରିପାଠୀ ମଧ୍ୟ ୨୧ କରି ଆଉଟ ହୋଇଥିଲେ। ଶେଷ ବେଳକୁ କ୍ଲାସିନ ଓ ମାର୍କୋ ଜାନସେନ ୧୭ ଲେଖାଏଁ କରି ଦଳୀୟ ସ୍କୋରକୁ ୧୩୪ରେ ପହଞ୍ଚାଇଥିଲେ।

ସେପଟେ ଆଜି ଚେନ୍ନାଇ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ଜାଡେଜା ୫.୫୦ ହାରରେ ୨୨ ରନ ଖର୍ଚ୍ଚ କରି ସର୍ବାଧିକ ୩ଟି ୱିକଟେ ନେଇଛନ୍ତି। ଆକାଶ ସିଂହ, ଥିକ୍ଷାଣା ଓ ପଥିରାନା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଛୋଟ ଟାର୍ଗେଟର ପିଛା କରିବାକୁ ଆସି ଆକ୍ରାମକ ପାଳି ଆରମ୍ଭ କରିଥିଲେ ଚେନ୍ନାଇ ଓପନର । ପ୍ରଥମ ୱିକଟେ ପାଇଁ ଉଭୟଙ୍କ ମଧ୍ୟରେ ୮୭ ରନ ପାର୍ଟନରସିପ ହୋଇଥିଲା । ଏହାପରେ ଋତୁରାଜ ଗାଏକୱାଡ ରନ ଆଉଟ ହୋଇଥିଲେ । ଏହାପରେ ଆଜିଙ୍କ୍ୟ ରାହାଣେ ଓ ଆମ୍ବାତି ରାୟୁଡୁ ୯ ରନ ଲେଖାଏଁ କରି ଆଉଟ ହୋଇଥିଲେ । ସପେଟ ଡେଭନ କନଭୟ ବଡ଼ ସଟ ଖେଳିବା ଜାରି ରଖିଥିଲେ। ସେ ୫୭ଟି ବଲରେ ୭୭ ରନ କରି ଦଳକୁ ବିଜୟୀ କରାଇଥିଲେ।

ହାଇଦ୍ରାବାଦ ପକ୍ଷରୁ କେବଳ ମୟଙ୍କ ମାର୍କଣ୍ଡେ ଦୁଇଟି ୱିକେଟ ନେବାରେ ସଫଳ ହୋଇଥିଲେ। ମାର୍କୋ ଜାନେସେନ ୩ ଓଭର ବୋଲିଂ କରି ୧୨.୩୦ ହାରରେ ସର୍ବାଧିକ ୩୭ ରନ ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ସନ ରାଇଜର୍ସ ହାଇଦ୍ରାବାଦ ନବମ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ ତୃତୀୟ ସ୍ଥାନରେ ରହିଛି । ଶୀର୍ଷରେ ରହିଛି ରାଜସ୍ଥାନ ରୟାଲ୍ସ ।