ଶହୀଦ ଦେବାଶିଷଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ସହାୟତା

ଭୁବନେଶ୍ବର,ଏନ୍‌ଏନ୍ଏସ୍‌: ଜାମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଛନ୍ତି ଭାରତ ମା’ର ୫ ବୀର ଯବାନ । ଶହୀଦ ଯବାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳ । ଦେବାଶିଷଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ଶହୀଦ ଦେବାଶିଷଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଶହୀଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ସେପଟେ ଜମ୍ମୁକାଶ୍ମୀର ପୁଞ୍ଚ ଆତଙ୍କୀ ହମଲା ଶହୀଦ ହୋଇଥିବା ୫ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ସେନା । ରାଜୌରିରେ ଭାରତୀୟ ସେନା ଶହୀଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇଛି । ଗତକାଲି ସେନା ଗାଡି଼କୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିବା ବେଳେ ଏଥିରେ ୫ଜଣ ଯବାନ ଶହୀଦ ହୋଇଥିଲେ । ଆଜି ସେମାନଙ୍କୁ ସେନା ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଭାରତୀୟ ସେନାର ଅନେକ ବରିଷ୍ଠ ଅଧିକାରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।